
ବ୍ରାଜିଲ: ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି । ସ୍ତ୍ରୀର ସବୁ ଆବଶ୍ୟକତାକୁ ପୂରଣ ମଧ୍ୟ କରିଥାନ୍ତି । ନିକଟରେ ବ୍ରାଜିଲର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ୨୦ ଫୁଟ ଲମ୍ବର ଏକ ଖଟ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ବ୍ରାଜିଲରେ ରୁହନ୍ତି ଆର୍ଥର । ତାଙ୍କର ୬ଜଣ ସ୍ତ୍ରୀ ଅଛନ୍ତି । ସେ ସବୁ ସ୍ତ୍ରୀଙ୍କୁ ବହୁତ ଭଲ ପାଇବା ସହ ସବୁ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା ମଧ୍ୟ କରନ୍ତି । ନିଜ ୬ ସ୍ତ୍ରୀଙ୍କୁ ଖୁସି କରିବା ଓ ଏକାଠି ରଖିବା ଲାଗି ସେ ନିକଟରେ ତିଆରି କରିଛନ୍ତି ୨୦ ଫୁଟ୍ ଲମ୍ବର ଏକ ଖଟ, ଯାହାର ଓସାର ରହିଛି ୭ ଫୁଟ । ଯେଉଁଥିପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡିଛି ୮୧ ଲକ୍ଷ ୫୪ ହଜାର ଟଙ୍କା । ଏହି ଖଟକୁ ୧୨ ଜଣ କାରିଗର ମିଶି ତିଆରି କରିଥିଲେ । ଏଥିଲାଗି ୧୫ ମାସ ସମୟ ଲାଗିଥିଲା ।
ଏହି ଖଟର ଫଟୋ ସେ ନିଜେ ସୋସିଆଲ ମିଡ଼ିଆରେ ସେୟାର କରି, ଲେଖିଛନ୍ତି ଯେ, ସମ୍ପର୍କ ଭିତରେ ଖୁସି ଆଣିବା ଲାଗି ମୁଁ ଏଭଳି କାମ କରିଛି, ଯାହା ଅନ୍ୟ ପାଇଁ ଅସମ୍ଭବ । ତାହା ମୁଁ କରି ଦେଖାଇଛି । ଆଉ ଗଢିଛି ପୃଥିବୀର ସବୁଠାରୁ ବଡ଼ ଖଟ । ଏନେଇ ଆର୍ଥର କୁହନ୍ତି, ‘ସ୍ତ୍ରୀମାନଙ୍କ ସହ ଏକାଠି ବସି ଗପସପ ହେବାବେଳେ ସୋଫାରେ ଯାଗା ହୁଏନା । ଏମିତିକି ଡବଲ ବେଡ୍ରେ ବି ଏକାଠି ବସିବା ଅସୁବିଧା ହେଉଥିଲା । ସେଥିପାଇଁ ଏକ ବଡ଼ ଖଟ ତିଆରି କରିବାର ଯୋଜନା କଲି । ଯାହାକି ଏବେ ସାକାର ହୋଇପାରିଛି ।’
ବ୍ରାଜିଲରେ ବହୁ ପତ୍ନୀ ରଖିବା ଆଇନସମ୍ମତ । ୨୦୦୧ ରେ ସେ ପ୍ରଥମ ବିବାହ କରିଥିଲେ । ପରେ ସେ ଜଣ ପରେ ଜଣେ କରି ୮ ଜଣଙ୍କୁ ବିବାହ କଲେ । ତେବେ ଦୁଇଜଣଙ୍କୁ ସେ ଛାଡପତ୍ର ଦେଇଛନ୍ତି । ଏବେ ତାଙ୍କ ପାଖରେ ୬ ଜଣ ସ୍ତ୍ରୀ ରହୁଛନ୍ତି ।