
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡିଶାକୁ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ସହ ବିଭିନ୍ନ କ୍ଷେତ୍ରରେ ଆଗେଇ ନେବା ପାଇଁ ପ୍ରଚେଷ୍ଠିତ l ତେବେ ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଆଜି ପୁଣି ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଅକ୍ଟୋବର ୪ ତାରିଖ ଅର୍ଥାତ ଆଜି ସନ୍ଧ୍ୟାରେ ନବୀନ ନିବାସଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ୫-ଟି ସଚିବ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬ଟି ନୂତନ ଆମ୍ବୁଲାନ୍ସକୁ ପତକା ଦେଖାଇ ଲୋକାର୍ପିତ କରିଛନ୍ତି l ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟରେ ପୂର୍ବରୁ ଥିବା ୧୦୮ ଆମ୍ବୁଲାନ୍ସଗୁଡିକ ସହ ଏହି ନୂତନ ୨୬ଟି ଆମ୍ବୁଲାନ୍ସ ଯୋଡି ହୋଇଛି l
ଏହି ୨୬ଟି ଆମ୍ବୁଲାନ୍ସ ପାଇଁ ୧୦ କୋଟି ୯୨ ଲକ୍ଷ୍ୟ ଟଙ୍କାର ବିନିଯୋଗ କରାଯାଇଛି l ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ବିନିଯୋଗରେ ଏହି ଆମ୍ବୁଲାନ୍ସଗୁଡିକୁ କ୍ରୟ କରିଥିବା ସୂଚନା ମିଳିଛି l ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଓ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବିନା ଖର୍ଚ୍ଚରେ ଡାକ୍ତରଖାନାକୁ ନେବା ପାଇଁ ରାଜ୍ୟରେ ଅନେକ ଜରୁରୀକାଳୀନ ୧୦୮ ଆମ୍ବୁଲାନ୍ସ ସଫଳତାର ସହ କାର୍ଯ୍ୟ କରୁଛି । ତେଣୁ ରାଜ୍ୟବାସୀଙ୍କ ସୁବିଧା ନିମନ୍ତେ ଆଉ ୨୬ଟି ନୂତନ ଆମ୍ବୁଲାନ୍ସ ସାମିଲ ହେବାପରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ଆହୁରି ସୁଦୃଢ ହେବ ବୋଲି ଆଶା ରଖାଯାଉଛି ।