
ଭୁବନେଶ୍ୱର: ଆସନ୍ତକାଲି ବାଚସ୍ପତି ନିର୍ବାଚନ ପଇଁ ନାମାଙ୍କନ ତାରିଖ ରହିଛି। ଏହା ପୂର୍ବରୁ ଶାସକ ଦଳ ବିଜେଡି ମହିଳା କାର୍ଡ ଖେଳି ଦଳର ବରିଷ୍ଠ ମହିଳା ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି। ସାରା ଦେଶରେ ମହିଳା ସଂରକ୍ଷଣ ବିଲ୍ ନେଇ ବିତର୍କ ଚାଲିଛି ବିଲଟି ସଂସଦରେ ଉପସ୍ଥାପିତ ହୋଇଛି ଆଉ ଏହି ସମୟରେ ବିଜେଡି ଖେଳିଛି ମହିଳା କାର୍ଡ।
ଶାସକ ଦଳର ବିଧାୟକଙ୍କ ସଂଖ୍ୟା ଅଧିକ ଥିବାରୁ ପ୍ରମିଳା ମଲ୍ଲିକ ବାଚସ୍ପତି ହେବା ଏକ ପ୍ରକାର ଚୂଡ଼ାନ୍ତ। କାରଣ ବିରୋଧୀ ପ୍ରାର୍ଥୀ ଦେବେ ବୋଲି ସୂଚନା ରହିଛି। ତେଣୁ ବିନା ନିର୍ବାଚନରେ ପ୍ରମିଳା ମଲ୍ସିକ ବିଧାନସଭାର ୨୬ତମ ବାଚସ୍ପତି ହେବା ଏକ ପ୍ରକାର ସ୍ପଷ୍ଟ। ଏଥସହ ବିଞ୍ଝାରପୁରର ବିଧାୟକ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି।
୧୯୯୦ ମସିହାରୁ ପ୍ରମିଳା ମଲ୍ଲିକ ବିଧାୟକ ଭାବେ ସମାନ ଆସନରୁ ଏଯାବତ ନିର୍ବାଚିତ ହୋଇଆସୁଛନ୍ତି। ୨୦୦୪ରେ ସେ ପ୍ରଥମେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନବୀନ ସରକାରରେ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସମେତ, ଦଳର ମୁଖ୍ୟ ସଚେତକ ପରେ ଏବେ ରାଜସ୍ବ ତଥା ବିପର୍ଯ୍ୟୟ ମନ୍ତ୍ରୀ ଭାବେ ଦାୟିତ୍ୱରେ ରହିଛନ୍ତି। ଏବେ ସେ ବାଚସ୍ପତି ପ୍ରାର୍ଥୀ ହୋଇଥିବାରୁ ସେ ନିୟମ ଅନୁଯାୟୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ।
ଉଲ୍ଲେଖଯୋଗ୍ୟ, ବିଧାନସଭାର ମୌସୁମୀ ଅଧିବେଶନ 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଶାସକ ଦଳ ବିଜେଡି 33 ପ୍ରତିଶତ ମହିଳା ସଂରକ୍ଷଣ ପାଇଁ ବିଭିନ୍ନ ସମୟରେ ଦାବି କରି ଆସୁଛି। ଏହି ସମୟରେ ନବୀନ ପ୍ରମିଳାଙ୍କୁ ପ୍ରାର୍ଥୀ କରି ମହିଳା ଭୋଟରଙ୍କ ଉପରେ ଗୋଟିଏ ବଡ଼ ପ୍ରଭାବ ପକାଇବାକୁ ଯାଇ ଏଭଳି ଏକ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି।