
ଦେଶରେ ଭାରି ମାତ୍ରାରେ ବଢିବାରେ ଲାଗିଛି ନିପା ଭାଇରସ । ଏହି ଭାଇରସ ରେ ଅନେକ ଲୋକ ସଂକ୍ରମିତ ହେଉଥିବାର ଦେଖାଯାଉଛି । ଏହି ସଂକ୍ରମଣ ଅତ୍ୟଧିକ କେରଳ ରାଜ୍ୟରେ ବଢିବାରେ ଲାଗିଛି। ପଜିଟିଭ ଅବା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୦୮୦ ଜଣ ଲୋକ ଚିହ୍ନଟ ହୋଇଛନ୍ତି। ତେଣୁ କେରଳର କୋଝିକୋଡରେ ସମସ୍ତ ସ୍କୁଲ କଲେଜକୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

କେରଳରେ ଆତଙ୍କ ସୃଷ୍ଟି କରିଥିବା ଏହି ଭାଇରସକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଏଯାଏ କେରଳରେ ଏହି ଭାଇରାସରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚି ସାରିଲାଣି । ମହାମାରୀ କରୋନା ଭାଇରସ ତୁଳନାରେ ନିପା ଭାଇରସର ମୃତ୍ୟୁହାର ଯଥେଷ୍ଟ ଅଧିକ ବୋଲି ଆଇସିଏମଆର ପକ୍ଷରୁ ସୂଚନା ଦିଆଯିବ ପରେ କେରଳ ସରକାରଙ୍କ ପକ୍ଷରୁ ସବୁ ସ୍କୁଲ କଲେଜକୁ ସପ୍ତାହେ ପାଇଁ ବନ୍ଦ କରି ଦିଆଯାଇଛି।

ଜିଲ୍ଲା ପ୍ରଶାସନଙ୍କ କହିବା ଅନୁଯାୟୀ, ଏହି ଛୁଟିରେ ଅନଲାଇନ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ କରାଯିବ । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ବୀନା ଜର୍ଜ କହିଛନ୍ତି ଯେ, ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧,୦୮୦ ଲୋକଙ୍କୁ ଚିହ୍ନଟ କରାଯାଇଛି । କେବଳ ଶୁକ୍ରବାର ଦିନ ୧୩୦ ଜଣ ଲୋକଙ୍କୁ ଟ୍ରାକ କରାଯାଇଛି । ସଂକ୍ରମିତଙ୍କ ସଂପର୍କରେ ଆସିଥିବା ଲୋକଙ୍କ ମଧ୍ୟରୁ ୩୨୭ ଜଣ ସ୍ୱାସ୍ଥ୍ୟ କର୍ମୀ ଅଟନ୍ତି ।

ଗତକାଲି କେରଳରେ ଜଣେ ଯୁବକ ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ରାଜ୍ୟ ସରକାର କଠୋର ପଦକ୍ଷେପ ଉଠାଇବାକୁ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ନିପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ କେରଳ ସରକାର ହାଇ ଆଲର୍ଟ ମୋଡ୍ରେ ରହିଛନ୍ତି। ୨୦୧୮ ପରେ ଏହି ନିପା ଭାଇରସ୍ ଚତୁର୍ଥ ଥର ପାଇଁ କେରଳରେ ବ୍ୟାପିବାରେ ଲାଗିଛି।