
ଆଜିଠୁ ଆରମ୍ଭ ହେବ ଏସିଆ କପ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ । ଏସିଆ ମହାଦେଶର ଶ୍ରେଷ୍ଠ ୬ ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ହାଇବ୍ରିଡ୍ ମଡେଲ ଅନୁସାର ଶ୍ରୀଲଙ୍କା ଓ ପାକିସ୍ତାନ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ଫାଇନାଲ ସହ ମୋଟ୍ ୯ଟି ମ୍ୟାଚ ଖେଳାଯିବ । ଭାରତ ୭ଥର ଏସିଆ କପ୍ ଜିତି ସାରିଥିବା ବେଳେ ଅଷ୍ଟମ ଥର ପାଇଁ କପ ହାତେଇବାକୁ ଚେଷ୍ଟା କରିବ । ସେହିପରି ଶ୍ରୀଲଙ୍କା ୬ଥର ଓ ପାକିସ୍ତାନ ୨ଥର ଏହି କପ ଚାମ୍ପିୟନ ହୋଇଛି ।
ତେବେ ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ଵାର୍ଡରେ ସ୍ଥାନ ପାଇଥିବା କେ. ଏଲ. ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ ।
ଗ୍ରୁପ ଏରେ ରହିଛନ୍ତି ଭାରତ, ପାକିସ୍ତାନ, ନେପାଳ ଓ ଗ୍ରୁପବିରେ ରହିଛନ୍ତି ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ବାଲାଂଦେଶ । ଚଳିତଥର ୫୦ ଓଭର ଫର୍ମାଟରେ ଖେଳାଯିବ ଏହି ଏସିଆ କପ୍ । ଦ୍ୱିପାକ୍ଷିକ ମ୍ୟାଚ୍ ବୃଦ୍ଧି ଏବଂ ଟି-୨୦ କ୍ରିକେଟ୍ ର ଲୋକପ୍ରିୟତା ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଗତ ୧୦ ବର୍ଷ ହେବ ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ସଂଘର୍ଷ କରିଆସୁଛି । ମାତ୍ର ଏଥର ବିଶ୍ବକପ୍ ଆଗକୁ ଥିବାରୁ ଏଥର କିଛି ନୂଆ ଦେଖିବାକୁ ମିଳିବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଆଜିଠୁ ଆରମ୍ଭ ହେଉଥିବା ବେଳେ ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୧୭ରେ ଖେଳାଯିବ । ପାକିସ୍ତାନର ମୁଲତାନ ଓ ଲାହୋର ଶ୍ରୀଲଙ୍କାର କାଣ୍ଡି ଓ କଲମ୍ବୋରେ ସମସ୍ତ ମ୍ୟାଚ୍ ଖେଳାଯିବ ।
ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏଁ ଦଳ ସୁପର-୪ ରାଉଣ୍ଡକୁ ଉନ୍ନୀତ ହେବେ । ରାଉଣ୍ଡ ରବିନ ଫର୍ମାଟରେ ସୁପର-୪ ରାଉଣ୍ଡ ଖେଳାଯିବ । ପ୍ରତ୍ୟେକ ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟିବେ । ପଏଣ୍ଟ ତାଲିକାରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ସେପ୍ଟେମ୍ବର ୬ରୁ ସୁପର-୪ ରାଉଣ୍ଡର ଆରମ୍ଭ ହେବ। ଅଂଶଗ୍ରହଣକାରୀ ଦଳଗୁଡ଼ିକ ମଧ୍ୟରେ ଭାରତ କି ପାକିସ୍ତାନ ଏହି ମୁକାବିଲା ଜିତିବେ ବୋଲି ଆଶା କରାଯାଉଛି । ବାବର ଆଜମ୍ଙ୍କ ନେତୃତ୍ବରେ ଦଳ ଆଇସିସି ଦିନିକିଆ ମାନ୍ୟତାରେ ୧ ନମ୍ବର ସ୍ଥାନ ଦଖଲ କରିଛି । ଅନ୍ୟ ଦଳର ସମସ୍ୟା ଦୃଷ୍ଟିରୁ ପାକିସ୍ତାନ ସବୁଠୁ ସନ୍ତୁଳିତ ଦଳ ମନେ ହେଉଛି । ଦଳ ଏଥର ଟାଇଟଲ୍ ଜିତିବାକୁ ଚାହିଁବ ଏବଂ ଏହା ତାଙ୍କ ବିଶ୍ୱକପ୍ ଅଭିଯାନ ପାଇଁ ଆତ୍ମବିଶ୍ୱାସ ବଢାଇବ ।