
ଲକ୍ଷ୍ନୌରୁ ରାମେଶ୍ୱରାମ ଅଭିମୁଖେ ଯାଉଥିବା ଟ୍ରେନର ଦୁର୍ଘଟଣା l ଟ୍ରେନର ପର୍ଯ୍ୟଟକ କୋଚରେ ନିଆଁ ଲାଗିଛି l ଏଥିରେ 8 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଏବେ ପୁନଶ୍ଚ 2 ଜଣଙ୍କ ମୃତ୍ୟୁ ଘଟି ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ପାଇଛି । ତାମିଲନାଡୁର ମଦୁରାଇ ରେଳ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିସହ 20 ଜଣ ଯାତ୍ରୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଶନିବାର ସକାଳ 5.15 ସମୟରେ ଟ୍ରେନ ମଦୁରାଇ ୟାର୍ଡ ଜଙ୍କସନରେ ଅଟକି ରହିଥିବା ବେଳେ ଟ୍ରେନର ପର୍ଯ୍ୟଟକ କୋଚରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ସୂଚନାରୁ ଜଣ ପଡିଛି କିଛି ଯାତ୍ରୀ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ନେଉଥିଲେ । ଏହା ଦ୍ୱାରା ଟ୍ରେନରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଛନ୍ତି ।
ଦକ୍ଷିଣ ରେଳ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଟ୍ରେନରେ କିଛି ଲୋକ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ନେଇ ଯାଉଥିଲେ, ଯେଉଁଥିପାଇଁ ନିଆଁ ଲାଗିଯାଇଥିଲା । ରେଳ ନିୟମ ଅନୁଯାୟୀ, ରେଳ କୋଚ ଭିତରେ କୌଣସି ଜ୍ୱଳନ୍ତ ସାମଗ୍ରୀ ବହନ କରିବା ସମ୍ପୂର୍ଣ୍ଣ ନିଷେଧ । ନିଆଁ ଲାଗିଥିବା କୋଚ୍ ଏକ ଘରୋଇ କୋଚ୍ ଥିଲା । ଏହି କୋଚ୍ 25 ଅଗଷ୍ଟ ଶୁକ୍ରବାର ଦିନ ନାଗେରକୋଏଲ୍ ଜଙ୍କସନରେ ସଂଲଗ୍ନ କରାଯାଇଥିଲା । କଫି ତିଆରି କରିବା ପାଇଁ ସେମାନେ ଗ୍ୟାସ୍ ଚୁଲା ଜଳାଇଥିଲେ ଏବଂ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଏ ନେଇ ସୂଚନା ଦେଇ ଦକ୍ଷିଣ ରେଳ ଅଧିକାରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟ କୋଚର କୌଣସି କ୍ଷତି ହୋଇନାହିଁ । ଟ୍ରେନରେ ନିଆଁ ଲାଗିଥିବା ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ବହୁ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି । ଅନ୍ୟ 20 ଜଣ ଆହତଙ୍କୁ ମଦୁରାଇର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦକ୍ଷିଣ ରେଳବାଇ ମଦୁରାଇ ରେଳ ଷ୍ଟେସନରେ ଟ୍ରେନ୍ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛି ।
ଏଥି ସହିତ ଟ୍ରେନର ଏହି କୋଚ ମଧ୍ୟରେ ନିଆଁ ଲାଗିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି l ଏହି ସମୟରେ ଏହାର ପାଖ ଟ୍ରାକରେ ଅନ୍ୟ ଏକ ଟ୍ରେନ୍ ମଧ୍ୟ ଯାଉଥିଲା । ତେବେ ସେ ଟ୍ରେନର ମଧ୍ୟ କିଛି କ୍ଷତି ହୋଇ ନାହିଁ l
