
ପିଆଜ ଦର ଉପରେ ନିୟନ୍ତ୍ରଣ ଟମାଟୋର ମୂଲ୍ୟ ବୃଦ୍ଧି ଲୋକଙ୍କୁ ଏବେବି ଚିନ୍ତାରେ ପକାଉଛି । ଏହି ସମୟରେ, ଖବର ଆସୁଛି ଯେ ଟମାଟୋ ପରେ ଏବେ ପିଆଜ ମଧ୍ୟ ମହଙ୍ଗା ହୋଇପାରେ l ଏହି ସମୟରେ ପିଆଜ ଦର ବୃଦ୍ଧି ଆଶଙ୍କା ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପିଆଜ ମୂଲ୍ୟ ଆକାଶଛୁଆଁ ନହେବା ପାଇଁ ସରକାର ପିଆଜ ରପ୍ତାନି ଉପରେ ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜାରି ବିଜ୍ଞପ୍ତି ଅନୁଯାୟୀ, ପିଆଜର ଘରୋଇ ଉପଲବ୍ଧତାକୁ ସୁଦୃଢ କରିବା ପାଇଁ ତୁରନ୍ତ ଡିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ସରକାର ପିଆଜ ଉପରେ ୪୦% ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି। ଅର୍ଥାତ୍ ବିଦେଶରେ ପିଆଜ ବିକ୍ରୟ କରିବା ସମୟରେ ବିକ୍ରେତାମାନଙ୍କୁ ସରକାରଙ୍କୁ ୪୦ ପ୍ରତିଶତ ଶୁଳ୍କ ଦେବାକୁ ପଡିବ। ସେପ୍ଟେମ୍ବର ମାସରେ ପିଆଜ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିପାରେ ବୋଲି ଦାବି କରାଯାଇଥିଲା। ପିଆଜ ମୂଲ୍ୟ ୫୦ ରୁ ୬୦ ଟଙ୍କା ମଧ୍ୟରେ ପହଞ୍ଚିପାରେ ବୋଲି ଏକ ସମ୍ଭାବନା ଥିଲା l କିନ୍ତୁ ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ପିଆଜ ମୂଲ୍ୟରେ ବୃଦ୍ଧି ପାଇଁ ସରକାର ବଫର ଷ୍ଟକରୁ ପିଆଜ ଛାଡିବାକୁ ଘୋଷଣା କରିଥିଲେ। ଅକ୍ଟୋବରରୁ ନୂତନ ଫସଲ ଆସିବା ପୂର୍ବରୁ ମୂଲ୍ୟ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି ବୋଲି ସରକାର କହିଥିଲେ। ସରକାରୀ ସୂତ୍ର ଅନୁଯାୟୀ, ବଫର ଷ୍ଟକରୁ ପିଆଜ ଛାଡିବା ପାଇଁ ବିଭିନ୍ନ ବିକଳ୍ପ ଅନୁସନ୍ଧାନ କରାଯାଉଛି। ଇ-ନିଲାମ, ଇ-ବାଣିଜ୍ୟ ତଥା ରାଜ୍ୟ ଉପଭୋକ୍ତା ସମବାୟ ସମିତି ଏବଂ ଖୁଚୁରା ଆଉଟଲେଟରୁ ରିହାତି ମୂଲ୍ୟରେ ବିକ୍ରୟ ହେବ l ସୂଚନା ଅନୁଯାୟୀ, କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସରକାର ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ ୩ ଲକ୍ଷ ଟନ୍ ପିଆଜକୁ ଷ୍ଟକ୍ରେ ରଖିଛନ୍ତି। ଯେତେବେଳେ ବଜାରରେ ପିଆଜର ମୂଲ୍ୟ ବଢିବାରେ ଲାଗେ, ସରକାର ଏହି ପିଆଜକୁ ଛାଡି ଦିଅନ୍ତି l