
କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ନିକଟରେ ଏକ ସାକ୍ଷାତକାରରେ ସୂଚାଇ ଦେଇଛନ୍ତି ଯେ, କଂଗ୍ରେସ ସାଧାରଣ ସମ୍ପାଦକ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ଏହା ବ୍ୟତୀତ ରବର୍ଟ ଭଦ୍ରା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟାର୍ଗେଟ୍ କରିଛନ୍ତି । ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ରବର୍ଟ ଭଦ୍ରା କହିଛନ୍ତି, ପ୍ରିୟଙ୍କା ଗାନ୍ଧି ସଂସଦକୁ ଯିବା ଉଚିତ, ତାଙ୍କ ପାଖରେ ସମସ୍ତ ଗୁଣ ଅଛି । ସେ ସଂସଦରେ ଭଲ କାମ ନିଶ୍ଚୟ କରିବେ ବୋଲି ମୋର ଆଶା ଅଛି । ଯଦି ସେ ସଂସଦକୁ ଯାଆନ୍ତି ତେବେ ମୁଁ ଖୁସି ହେବି । ମୁଁ ଆଶା କରୁଛି କଂଗ୍ରେସ ତାଙ୍କୁ ଗ୍ରହଣ କରିବା ସହ ତାଙ୍କ ପାଇଁ ନିଶ୍ଚୟ ଏକ ଭଲ ଯୋଜନା ପ୍ରସ୍ତୁତ କରିବ । ସେହିପରି ରବର୍ଟ ଭଦ୍ରା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ବାସ୍ତବରେ ଅନାସ୍ଥା ପ୍ରସ୍ତାବ ଉପରେ ହେଉଥିବା ଚର୍ଚ୍ଚା ସମୟରେ ସଂସଦରେ ସ୍ମୃତି ଇରାନୀ ଅଦାନୀ ସହ ତାଙ୍କ ଫଟୋ ଦେଖାଇ କଂଗ୍ରେସକୁ ପ୍ରଶ୍ନ କରିଥିଲେ । ସ୍ମୃତି ଇରାନୀ କହିଥିଲେ, ଏମାନେ କେବଳ ଆଦାନି ଅଦାନି କହୁଛନ୍ତି । ଯଦି ଅଦାନି ଏତେ ଖରାପ ତେବେ ଜ୍ୱାଇଁପୁଅ ଅର୍ଥାତ୍ ରବର୍ଟ ଭଦ୍ରା ତାଙ୍କ ସହ କ’ଣ କରୁଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ରବର୍ଟ ଭଦ୍ରା କହିଛନ୍ତି, ମଣିପୁରରେ ହିଂସା ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢୁଛି କେନ୍ଦ୍ର ମନ୍ତ୍ରୀ ସେ ବିଷୟରେ ଚିନ୍ତା ନ କରି ମୁଁ ସଦସ୍ୟ ନଥିବା ସତ୍ତ୍ୱେ ମୋ ଫୋଟ କ’ଣ ପାଇଁ ଦେଖାଉଛନ୍ତି । ତେବେ ଏସବୁ ଯୋଗୁଁ ସେ ପତ୍ନୀ ପ୍ରିୟଙ୍କାଙ୍କୁ ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ପ୍ରୋତ୍ସାହିତ କରିଛନ୍ତି l