
ସାଂସଦ ନିର୍ମାଣ କରିଥିବା ଶ୍ରମିକମାନେ ହେବେ ସ୍ୱାଧୀନତା ଦିବସର ସ୍ୱତନ୍ତ୍ର ଅତିଥି ଏଥର ୧୫ ଅଗଷ୍ଟରେ ଦେଶ ୭୭ ତମ ସ୍ୱାଧୀନତା ଦିବସ ପାଳନ କରିବ । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବମ ଥର ଦିଲ୍ଲୀର ଲାଲକିଲାରେ ପତାକା ଉତ୍ତୋଳନ କରିବେ। ଏଥର ସ୍ୱାଧୀନତା ଦିବସର ବିଷୟବସ୍ତୁ ହେଉଛି ଜି -୨୦ । ପ୍ରତ୍ୟେକ ଥର ଭଳି, ଏଥର ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ହେବ ଅନେକ କାର୍ଯ୍ୟକ୍ରମ । ଏହି ସମାରୋହରେ ଯୋଗ ଦେବେ କିଛି ଖାସ୍ ଅତିଥି । ନୂତନ ସଂସଦ ଗଠନ କରିଥିବା ଶ୍ରମିକମାନେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବାର ସୂଚନା ରହିଛି । ଏହି ଖାସ ଅତିଥିମାନେ ଲାଲ କିଲାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱାଧୀନତା ଦିବସ ଉତ୍ସବର ମୁଖ୍ୟ ଅତିଥିମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ଏମାନେ ଦେଶର ନୂତନ ସଂସଦ ନିର୍ମାଣ କରିଥିଲେ । ତେବେ ତାଙ୍କୁ ୧୫ ଅଗଷ୍ଟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଛି । ସେହିପରି ବିଭିନ୍ନ ରାଜ୍ୟରୁ ୭୨ ଦମ୍ପତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅନେକ ଅବଦାନ ରହିଛି । ଏଥିମଧ୍ୟରୁ ପ୍ରାୟ ୫୦ ଦମ୍ପତି MNREGA ପାଇଁ ମନୋନୀତ ହୋଇଛନ୍ତି । ଶ୍ରମିକଙ୍କ ବ୍ୟତୀତ ଗାଁର ସରପଞ୍ଚ ଏବଂ ଜି -20 ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲୋକମାନେ ମଧ୍ୟ ଏହି ଉତ୍ସବରେ ଅତିଥି ଭାବରେ ଯୋଗ ଦେବେ । ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ୫୫୦୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ଏବଂ ୨୯୦୦ ଲୋକଙ୍କୁ ଅତିରିକ୍ତ ନିମନ୍ତ୍ରଣ କରାଯାଇଥିବା ନେଇ ସୂଚନା ରହିଛି । ଅଗଷ୍ଟ ୧୫ ତାରିଖରେ ସକାଳ ୬ ରୁ ୧୦ ଏବଂ ଅପରାହ୍ନ ୪ ଟାରୁ ୭ଟା ପର୍ଯ୍ୟନ୍ତ ବିମାନ ଉଡଣ ଉପରେ ନିଷେଧାଦେଶ ରହିଛି । ଏଥି ସହିତ ୧୭ ଅଗଷ୍ଟ ପର୍ଯ୍ୟନ୍ତ ଦିଲ୍ଲୀରେ ଡ୍ରୋନ୍ ଏବଂ ପାରାଗ୍ଲାଇଡିଂ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।