
ନୂଆଦିଲ୍ଲୀ: ଅନଲାଇନ ଗେମିଂ, କାସିନୋ ଓ ଘୋଡ଼ା ଦୌଡ଼ ଉପରେ ଚଳିତ ବର୍ଷ ଅକ୍ଟୋବରରୁ ୨୮ ପ୍ରତିଶତ ଜିଏସ୍ଟି ଲାଗୁ କରାଯିବ। ଆଜି ଅନୁଷ୍ଠିତ ହୋଇଥିବା ଜିଏସ୍ଟି ପରିଷଦର ୫୧ତମ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟ୍ୟମରେ ଏହି ନିଷ୍ପତ୍ତି ନିଆଯାଇଛି। ଛଅ ମାସ ପରେ ଏହି ଟିକସର ସମୀକ୍ଷା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଦିଲ୍ଲୀ, ଗୋଆ ଓ ସିକିମ ରେ ଏହି ଅନଲାଇନ୍ ଗେମିଂ ଉପରେ ଲଗାଯାଇଥିବା ଟିକସର ସମୀକ୍ଷା କରିବାକୁଦାବି କରିଛନ୍ତି।
ଗତ ମାସ ଜୁଲାଇ ୧୧ରେ ଅନୁଷ୍ଠିତ ହୋଇଯାଇଥିବା ୫୦ତମ ବୈଠକ ଜିଏସ୍ଟି ପରିଷଦରେ ଅନଲାଇନ ଗେମ, କାସିନୋ ଓ ଘୋଡ଼ା ଦୌଡ଼ରୁ ହେଉଥିବା ଆୟର ସମ୍ପୂର୍ଣ୍ଣ ରାଶି ଉପରେ ୨୮% ଟିକସ ଲାଗୁ କରିବା ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତିକୁ ନେଇ ଗେମିଂ କଂପାନିଗୁଡ଼ିକ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ଉଚ୍ଚ ହାରର ଟିକସ ଲାଗୁ ହେବା ପରେ ଗେମିଂ ଶିଳ୍ପକୁ ବୁଡ଼ାଇଦେବ ବୋଲି ସେମାନେ ଭାବୁଛନ୍ତି। ଷ୍ଟାର୍ଟଅପ୍ଗୁଡ଼ିକ କହିଛନ୍ତି ଯେ ଆମକୁ ୧୦୦୦ ପ୍ରତିଶତ ଭଳି ଟିକସ ଗଣିବାକୁ ପଡ଼ିପାରେ। ଉଚ୍ଚ ଟିକସ ପାଇଁ ଦରକାର ପଡ଼ିଲେ ଲୋକମାନେ ବେଆଇନ ଜୁଆ ପ୍ଲାଟଫର୍ମ ଆଡ଼କୁ ଆକର୍ଷିତ ହେବେ ବୋଲି ଆଶଙ୍କା କରାଯାଉଛି । କଂପାନିଗୁଡ଼ିକରେ ପୁଞ୍ଜିନିବେଶ କରିବାକୁ ମଧ୍ୟ ନିବେଶକମାନେ ଆଗ୍ରହ ଦେଖାଇବେ ନାହିଁ ବୋଲି ସୂଚନା ମିଳିଛି ।