ଆଜି ଜୁଲାଇ ୨୮, ବିଶ୍ଵ ହେପାଟାଇଟିସ୍ ଦିବସ l ଏହି ବିଶ୍ଵ ହେପାଟାଇଟିସ୍ ଦିବସ ଅବସରରେ ସମସ୍ତଙ୍କୁ ସଚେତନ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସାବଧାନ ରହିଲେ ହେପାଟାଇଟିସ୍ ପରି ରୋଗରୁ ମୁକ୍ତ ରହିପାରିବା ବୋଲି ବିଭାଗ କହିଛି। ଯକୃତ ଯନ୍ତ୍ରଣା ଠାରୁ ଆରମ୍ଭ କରି ଯକୃତ କର୍କଟ ଏସବୁ ଏହି ରୋଗ ମଧ୍ୟରେ ସାମିଲ। ହେପାଟାଇଟିସ୍ ରୁ ସୁରକ୍ଷା ପାଇବା ପାଇଁ ସମସ୍ତେ ସଚେତନ ରହିବା ଉଚିତ । ଜନ୍ମର ୨୪ ଘଣ୍ଟା ମଧ୍ୟରେ ନବଜାତ ଶିଶୁକୁ ହେପାଟାଇଟିସ୍ ପ୍ରତିଷେଧକ ଟିକା ଦେବା ଆବଶ୍ୟକ, ଯାହା ସମସ୍ତ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଉପଲବ୍ଧ। ସମସ୍ତଙ୍କ ମିଳିତ ଉଦ୍ୟମ ଓ ସାବଧାନତା ଦ୍ଵାରା ହେପାଟାଇଟିସ୍ ର ପ୍ରତିରୋଧ ସମ୍ଭବ ହୋଇପାରିବ l ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କହିବା ଅନୁଯାୟୀ ହେପାଟାଇଟିସ୍ ରୁ ସୁରକ୍ଷିତ ରହିବା ପାଇଁ କେବଳ ସ୍ଵୀକୃତିପ୍ରାପ୍ତ ବ୍ଲଡ୍ ବ୍ୟାଙ୍କ୍ ରୁ ରକ୍ତ ଗ୍ରହଣ କରନ୍ତୁ, ଅସୁରକ୍ଷିତ ଯୌନ ସମ୍ପର୍କ ଠାରୁ ଦୁରେଇ ରୁହନ୍ତୁ ଏବଂ ସଦା ସର୍ବଦା ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ। ଆଜି ଜୁଲାଇ ୨୮ ଯାହାକି ବିଶ୍ୱ ହେପାଟାଇଟିସ୍ ଦିବସ ରୂପେ ପ୍ରତ୍ୟୋକ ବର୍ଷ ପାଳନ କରାଯାଏ l ଚଳିତ ବର୍ଷ ବିଶ୍ୱ ହେପାଟାଇଟିସ୍ ଦିବସର ଥିମ୍ ହେଉଛି ‘ୱାନ୍ ଲାଇଫ୍ ୱାନ୍ ଲିଭର’ ଯାହାର ଅର୍ଥ ହେଉଛି ଗୋଟିଏ ଜୀବନ ଗୋଟିଏ ଯକୃତ। ତେବେ ଏହି ଦିବସ ପାଳନ କରିବା ଦ୍ୱାରା ସମସ୍ତଙ୍କୁ ଏହି ହେପାଟାଇଟିସ୍ ରୋଗରୁ ମୁକ୍ତ ହେବ ପାଇଁ ସଚେତନତା ସୃଷ୍ଟି କରାଯାଉଛି l ବିଭିନ୍ନ ସଚେତନତା ମାଧ୍ୟମରେ ୨୦୩୦ ସୁଦ୍ଧା ଯକୃତର ସ୍ୱାସ୍ଥ୍ୟକୁ ବିକଶିତ କରି ବିଶ୍ୱକୁ ହେପାଟାଇଟିସ୍ ମୁକ୍ତ କରିବାର ଲକ୍ଷ୍ୟ ମଧ୍ୟ ରଖାଯାଇଛି । ଆମେରିକାର ନୋବେଲ ପୁରସ୍କାରପ୍ରାପ୍ତ ବୈଜ୍ଞାନିକ ଡକ୍ଟର ବାରୁକ୍ ବ୍ଲୁମବର୍ଗ ୧୯୬୦ ମସିହାରେ ହେପାଟାଇଟିସ୍ ବି ଭାଇରସ୍ ଆବିଷ୍କାର କରିଥିଲେ। ଏହା ପରେ ଏକ ଡାଇଗ୍ନୋଷ୍ଟିକ୍ ପରୀକ୍ଷା ଏବଂ ଜୀବାଣୁ ଚିକିତ୍ସା ପାଇଁ ଏକ ଟିକାର ମଧ୍ୟ ବିକାଶ କରିଥିଲେ। ତେଣୁ ଡକ୍ଟର ବ୍ଲୁମବର୍ଗଙ୍କ ଆବିଷ୍କାରର ସମ୍ମାନରେ ତାଙ୍କ ଜନ୍ମଦିନ ଜୁଲାଇ ୨୮ରେ ସବୁବର୍ଷ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। ହେପାଟାଇଟିସ୍ ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏହି ‘ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଉଛି l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ୨୦୦୮ମସିହାରେ ପ୍ରଥମ ଥର ପାଇଁ ‘ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଇଥିଲା ଏବଂ ଏହା ପରଠୁ ହେପାଟାଇଟିସ୍ ମୁକ୍ତ ବିଶ୍ୱ ଗଢିବା ଲକ୍ଷରେ ସବୁ ବର୍ଷ ଏହି ଦିବସ ପାଳନ କରାଯାଉଛି l