ନୂଆଦିଲ୍ଲୀ: ସୋସିଆଲ ମିଡିଆ ଉପଭୋକ୍ତାଙ୍କ ପାଇଁ ବଡ ଖବର । ବଦଳି ଯାଇପାରନ୍ତି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ମାଲିକ । ବିଶ୍ୱର ଦୁଇ ବିଶାଳ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଓ ହ୍ୱାଟସଆପ୍ ଏବେ ଆମେରିକୀୟ ଧନୀ ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଅଧୀନରେ ପରିଚାଳିତ ହେଉଛି। ତେବେ ଖୁବ୍ ଶୀଘ୍ର ଏହି ଦୁଇ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକାନା ବଦଳିବାକୁ ଯାଉଛି ।
ବାସ୍ତବରେ ୨୦୨୦ରେ ତାଙ୍କ କମ୍ପାନୀ ଫେସବୁକ୍ ନାଁରେ ପ୍ରତିଯୋଗିତାକୁ ପ୍ରଶୟ ଦେଉନଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା, ତାହା ଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପାଳି ସମୟ। ତେବେ ସେଇ ମାମଲାରୁ ଶୁଣାଣୀ ଏବେ ଆରମ୍ଭ ହେବାକୁ ଯାଉଛି। ଯଦି ରାୟ ଜୁକରବର୍ଗଙ୍କ ବିପକ୍ଷରେ ଯିବ, ତେବେ ତାଙ୍କୁ ଉଭୟ ହ୍ୱାଟସଆପ୍ ଓ ଇନଷ୍ଟ୍ରାଗ୍ରାମକୁ ବିକ୍ରି କରିବା ଲାଗି କୁହାଯାଇପାରେ। ତେବେ ପ୍ରତିଯୋଗିତାକୁ ଶେଷ କରିବା ଓ ନିଜର ଏକଚାଟିଆ ଆଧିପତ୍ୟ ବଜାୟ ରଖିବା ଲାଗି କମ୍ପାନୀ ୨୦୧୨ରେ ୧୦୦କୋଟି ଡଲାରରେ ଇନଷ୍ଟ୍ରାଗ୍ରାମ ଓ ୨୦୨୪ରେ ୨୨ଶହ କୋଟି ଡଲାରରେ ହ୍ୱାଟସଆପ୍ ର ଅଧିଗ୍ରହଣ କରିଥିଲା। ତେବେ ଏଇ ୨ କମ୍ପାନୀର ଅଧିଗ୍ରହଣ ପାଇଁ ଆମେରିକାର ଫେଡେରାଲ୍ ଟ୍ରେଡ୍ କମିସନ (ଏଫ୍ଟିସି) ଅନୁମତି ଦେଇଥିଲେ କିନ୍ତୁ ଏହି ଡିଲ୍ ର ପରିଣାମକୁ ଅନୁଶୀଳନ କରିବା ପରେ ଏହି ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲା। ଏହି ମାମଲାର ଶୁଣାଣି ବେଳେ ମେଟା ସିଇଓ ମାର୍କ ଜୁକରବର୍ଗ ଓ କମ୍ପାନୀର ପୂର୍ବତନ ଚିପ୍ ଅପରେଟିଂ ସେରିଲ ସ୍ୟାଣ୍ଡବର୍ଗଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇପାରେ। ତେବେ ଏହି ଶୁଣାଣି ୬ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି।
ସୋମବାର ଦିନ ଟ୍ରିବ୍ୟୁନାଲ୍ କୋର୍ଟରେ ଶୁଣାଣି ସମୟରେ, କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ତାଙ୍କର ପକ୍ଷ ଉପସ୍ଥାପନ କରି କହିଥିଲେ ଯେ ଏକ ଦଶନ୍ଧି ପୂର୍ବେ କରାଯାଇଥିବା ଏହି ଅଧିଗ୍ରହଣ ଉପଭୋକ୍ତା ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ନବସୃଜନକୁ ବୃଦ୍ଧି କରିବା ପାଇଁ ଥିଲା। ଏହି ସମୟରେ, ସମୟ ସହିତ ମେଟାର ପ୍ଲାଟଫର୍ମଗୁଡ଼ିକ ବିକଶିତ ହୋଇଛି ।ଆଜି, ଉପଭୋକ୍ତାମାନେ ଗୋଷ୍ଠୀ ଏବଂ ବୃହତ୍ତର ଆଗ୍ରହର କ୍ଷେତ୍ରରେ ବିଷୟବସ୍ତୁ ସହିତ ଜଡିତ ହେଉଛନ୍ତି । ମେଟାର ଉଦ୍ଦେଶ୍ୟ ହେଉଛି ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ବଜାୟ ରଖିବା।ନିୟମ ଅନୁସାରେ, ଏହି ଡିଲର ପରିମାଣକୁ ତର୍ଜମା କରିବାର ଆବଶ୍ୟକତା ରହିଥିଲା । ଏହି ଆଧାରରେ ମେଟା ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଯଦି ଏଫଟିସି ଏହି ମାମଲା ଜିତେ ତେବେ ଫେସବୁକ ପ୍ରତିଷ୍ଠାତାଙ୍କୁ ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ ବିକିବାକୁ ପଡିପାରେ ।