
ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟାରେ ସେହି ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ସମ୍ଭାବନା ମଧ୍ୟ ରହିଛି । ଏହାର ପ୍ରଭାବରେ ୨୫ ତାରିଖରୁ ରାଜ୍ୟରେ ବର୍ଷା ବିସ୍ତୃତି ବୃଦ୍ଧି ହେବାର ଆଶଙ୍କା ରହିଛି । ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିପାରେ । ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ଦୁଇ ଦିନ ହେଲା ରାଜ୍ୟରେ ଜାରି ରହିଛି ବର୍ଷା । ବର୍ଷା ହେବ ଯୋଗୁଁ ଅନେକ ଚାଷୀମାନେ ଶାନ୍ତିରେ ଟିକେ ନିଶ୍ୱାସ ମାରିଛନ୍ତି l ବର୍ଷା ନହେବାରୁ କ୍ଷେତକୁ ଦେଖିବା ପରେ ଚାଷୀ ଭାଇ ମୁଣ୍ଡରେ ହାତ ଦେଇ ବସୁଥିଲେ ହେଲେ ଏବେ ବର୍ଷା ହେବା ପରେ ସେହି କ୍ଷେତକୁ ଦେଖି ସେମାନେ ଖୁସି ହେଉଛନ୍ତି । ବର୍ଷା କାରଣରୁ ଏବେ ରୁଆ-ପୋତା କାମ ମଧ୍ୟ ଆରମ୍ଭ ହୋଇଯାଇଛି।

ଶ୍ରାବଣ ଅଧା ହେବାକୁ ବସିଲାଣି ଯାହାଦ୍ୱାରା ଚାଷ ପାଇଁ ଏବେ ହାତରେ ସମୟ କମ୍ ରହିଛି । ତେଣୁ ତରତର ହୋଇ କାମରେ ବ୍ୟସ୍ତ ଚାଷୀ ଭାଇମାନେ । କିଏ ବଳଦରେ ହଳ କରୁଛନ୍ତି ତ ଆଉ କିଏ ଟ୍ରାକ୍ଟରରେ । ହେଲେ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, ସଅଳ ବିଲରେ ଚାଷ ଆରମ୍ଭ ହେବ ଆଉ ଅମଳ ଭଲ ହେବ। ବର୍ଷା ହେବାରୁ ସିନା ଚାଷୀମାନେ ଚାଷ ଆରମ୍ଭ କରିଦେଲେ କିନ୍ତୁ ଆଗାମୀ ଦିନରେ ଯଦି ଭଲରେ ବର୍ଷା ନହୁଏ ତେବେ ସ୍ଥିତି ପୂରା ଖରାପ ହେବା ସହିତ ଲୋନ୍ ଟଙ୍କା ସୁଝିବା କଷ୍ଟକର ହେବ ବୋଲି ଚାଷୀମାନେ କହିଛନ୍ତି। ପୁଣି ଅନ୍ୟପଟେ ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ସବୁ ଫସଲ ଭାସିଯିବ । ଏମିତି ଅନେକ ଚିନ୍ତାର ସହିତ ମଧ୍ୟ ଚାଷ କାମ ଆରମ୍ଭ ହୋଇ ସାରିଛି। ରାଜ୍ୟରେ ଏବେ ଗୋଟେ ପରେ ଗୋଟେ ଲଘୁଚାପ ମଧ୍ୟ ହୋଇଚାଲିଛି ଯାହା ଦ୍ୱାରା ଏବେ ନିୟମିତ ଭାବେ ବର୍ଷା ହଉଚି। ଗତ କିଛିଦିନ ହବ ଲଗାତାର ବର୍ଷା ହେଉଛି ଏବଂ ଆଗକୁ ମଧ୍ୟ ବର୍ଷାର ସମ୍ଭାବନା ରହିଛି ଯାହାକି ଚାଷ ନିମନ୍ତେ ଏକ ଖୁସିର ବିଷୟ ।