
ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତର ଅନ୍ୟତମ ବର୍ଷିଆନ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ। ୮୭ ବର୍ଷ ବୟସରେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଆଖି ବୁଜିଛନ୍ତି ଏହି ଦିଗ୍ଗଜ କଳାକାର। ସମଗ୍ର ଦେଶରେ ଦେଶାତ୍ମବୋଧକ ଫିଲ୍ମ ପାଇଁ ଭାରତ କୁମାର ନାଁରେ ତାଙ୍କର ଅଧିକ ପରିଚିତି ରହିଥିଲା। ୧୯୫୭ ମସିହାରେ ଫ୍ୟାସନ୍ ଫିଲ୍ମରୁ ଡେବ୍ୟୁ କରିଥିଲେ ମନୋଜ। ପରେ ପରେ ଷାଠିଏ ଓ ୭୦ ଦଶକରେ ଦେଇଥିଲେ ବହୁ ସୁପରହିଟ୍ ଫିଲ୍ମ। ଉପକାର ଫିଲ୍ମ ପାଇଁ ୧୯୬୭ ମସିହାରେ ତାଙ୍କୁ ଜାତୀୟ ଚଳଚିତ୍ର ପୁରସ୍କାର ମିଳିଥିଲା। ୧୯୬୪ରୁ ୧୯୮୦ ଥିଲା ମନୋଜ କୁମାରଙ୍କ ଏରା। ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ।
ଅନେକ ଦେଶାତ୍ମବୋଧକ ଫିଲ୍ମରେ ଅଭିନୟ କରିଛନ୍ତି ମନୋଜ । ପଥର୍ ସେ ସନମ୍, ଉପକାର୍., ସୋର୍, ସନ୍ୟାସୀ, ରୋଟି କପଡା ଅର୍ ମକାନ ଭଳି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ବଳିଷ୍ଠ ଅଭିନୟ ପାଇଁ ୧୯୯୨ ପଦ୍ମଶ୍ରୀ ଓ ୨୦୧୫ରେ ଦାଦାସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ୭ଥର ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଛନ୍ତି । ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ମନୋଜ କୁମାର । ୧୯୫୭ ମସିହାରେ ଫିଲ୍ମ ‘ଫ୍ୟାସନ’ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୬୫ରେ ‘ସହିଦ’ ଫିଲ୍ମ ତାଙ୍କୁ ନୂଆ ପରିଚୟ ଦେଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ । ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ ।
ମନୋଜ କୁମାରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ‘ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜଙ୍କ ଦେହାନ୍ତରେ ଦୁଃଖିତ। ଭାରତୀୟ ସିନେମାର ଆଇକନ, ଦେଶାତ୍ମକ ଚିନ୍ତାଧାରା ପାଇଁ ସେ ପରିଚିତ। ତାଙ୍କ କାର୍ଯ୍ୟ ଜାତୀୟ ଭାବନାକୁ ପ୍ରଜ୍ବଳିତ କରିଥିଲା, ସର୍ବଦା ପ୍ରେରଣା ଦେବ।’ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି।