
ଭୁବନେଶ୍ଵର: କାହିଁ କେତେ ଅନାଦି କାଳରୁ ଏହି ଉତ୍କଳର ପରମ ପାବନ କ୍ଷେତ୍ରରେ ନିବାସ କରୁଛନ୍ତି ଶ୍ରୀ ଜଗନ୍ନାଥ ଓ ଶ୍ରୀ ଲିଙ୍ଗରାଜ । ଉଭୟ ନିଜସ୍ଵ କ୍ଷେତ୍ରରେ ପୂର୍ଣ୍ଣତା ପ୍ରାପ୍ତ କରୁଥିଲେ ହେଁ ଭକ୍ତଙ୍କ ମନରେ ଦୁହେଁ ପରସ୍ପରଙ୍କ ପରିପୂରକ । ଶାସ୍ତ୍ର ମତରେ ହରି ଓ ହରଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ଯେପରି ଆଷାଢ ମାସରେ ଶ୍ରୀ ଜଗନ୍ନାଥ ରଥରେ ବସି ମାଉସୀ ମା’ ମନ୍ଦିରକୁ ଯାଅନ୍ତି ସେମିତି ଚୈତ୍ର ମାସରେ ପ୍ରଭୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ରଥରେ ବସି ମାଉସୀ ମା’ ଘରକୁ ଯାଅନ୍ତି । ନୀଳାଦ୍ରୀ ନାୟକଙ୍କ ପରି ସ୍ୱର୍ଣ୍ଣାଦ୍ରି ନାୟକଙ୍କ ରୁକୁଣା ରଥରେ ଅନେକ ଦେବଦେବୀ ଗଣ ମଧ୍ୟ ଅଂଶୀଦାର ହୁଅନ୍ତି । ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥୋତ୍ସବ ଏକ ଦିବ୍ୟ ରଥଯାତ୍ରା ଅଟେ । ତ୍ରିପୁରାସୁର ସଂହାର ସମୟରେ ଯେଉଁ ସର୍ବଦେବମୟୀ ସର୍ବବିଶ୍ଵମୟୀ ରଥ ନିର୍ମାଣ ହୋଇଥିଲା ସେହି ଆଧାରରେ ହିଁ ରୁକୁଣା ରଥ ନିର୍ମାଣ କରାଯାଇଥାଏ । ଏହାର ପ୍ରତେକ ଅଂଶ ଦିବ୍ଯତାରେ ପରିପୂର୍ଣ୍ଣ ଅଟେ ।
ବେଦପତି ବ୍ରହ୍ମା ଓ ଶ୍ରୀ ନାରାୟଣଙ୍କ ଆଜ୍ଞାରେ ତ୍ରିପୁରାସୁର ପ୍ରାଦୁର୍ଭାବ ଦଳନ ନିମନ୍ତେ ଶ୍ରୀ ସଦାଶିବଙ୍କ ଉଦ୍ଦେଶ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ଦ୍ୱାରା ଏହି ରଥ ନିର୍ମାଣ କରାଯାଇଥିଲା । ସେହି ଆଧାରରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦିବ୍ୟ ରୁକୁଣା ରଥ ନିର୍ମାଣ କରାଯାଇଥାଏ । ଭେଷଜ ଶାସ୍ତ୍ରରୁ ଜଣାଯାଏ ଅଶୋକ ବୃକ୍ଷ ସ୍ତ୍ରୀଲୋକଙ୍କ ପାଇଁ ଖୁବ ଉପକାରୀ। ବିଶେଷକରି ପୁନର୍ବସୁ ନକ୍ଷତ୍ରରେ ଏହା ସେବନ କଲେ ଅଧିକ ଫଳପ୍ରଦ ହୁଏ। କିଛି ଲୋକଙ୍କ ମତରେ ରାବଣ ଜଣେ ବୈଜ୍ଞାନିକ ଥିଲେ ଏବଂ ସ୍ତ୍ରୀଲୋକଙ୍କ ପ୍ରଧାନ ଋତୁଜନିତ ରୋଗ ନିରାକରଣ ନିମିତ୍ତ ଅଶୋକବନ ସୃଷ୍ଟି କରିଥିଲେ। ଏହି ବନରେ ସୀତାଙ୍କୁ ରଖିଲେ ତାଙ୍କର ଶାରୀରିକ ବିଶେଷତଃ ସ୍ତ୍ରୀରୋଗ ହେବ ନାହିଁ ବୋଲି ରାବଣ ସୀତାଙ୍କୁ ସେଠାରେ ରଖାଇଥିଲେ।
ପ୍ରାଚୀନ କାଳରୁ ଅର୍ଥାତ ରାମାୟଣ ଯୁଗରୁ ଏକାମ୍ର କ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଗଡ଼ି ଆସୁଛି ବୋଲି ଶୁଣିବାକୁ ମିଳେ । ଏହିଦିନ ଠାରୁ ପ୍ରଭୁ ଲିଙ୍ଗରାଜ ୫ ଦିନ ପାଇଁ ମାଉସୀ ମା’ଙ୍କ ଘର ଅର୍ଥାତ୍ ରାମେଶ୍ୱର ମନ୍ଦିରକୁ ଯାଇ ଅବସ୍ଥାନ କରିଥାନ୍ତି । ସେଠାରେ ପାଞ୍ଚଦିନ ରହିବା ପରେ ପୁଣି ପ୍ରଭୁ ମନ୍ଦିରକୁ ଫେରିଥାନ୍ତି । କିମ୍ବଦନ୍ତୀ କହେ, ଏଠାରେ ରାମଚନ୍ଦ୍ର ପ୍ରଭୁ ଶଙ୍କରଙ୍କର ଅତିଥି ହୋଇ ଆସିଥିଲେ । ତେଣୁ ଅଶୋକାଷ୍ଟମୀକୁ ଏକ ପବିତ୍ର ପର୍ବ ଭାବେ ମନେ କରାଯାଏ । ଆଉ ଏହାର ପରଦିନ ପାଳନ ହୁଏ ପବିତ୍ର ରାମ ନବମୀ ପର୍ବ । ତେବେ ବିଶ୍ୱାସ ମୂଳେ ତ ଏଠି ସବୁ କିଛି ସମ୍ଭବ। କେବଳ ଓଡିଶା ନୁହେଁ ବରଂ ସାରା ଦେଶ ରେ ଭଗବାନ ଙ୍କୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଯାହାକି ନିଜକୁ ଅନ୍ୟଠୁ ସ୍ୱତନ୍ତ୍ର କରିଥାଏ।