
ଭୁବନେଶ୍ଵର: ହଟିଲା ନିଲମ୍ବନ, ଦୀର୍ଘ ୭ ଦିନ ପରେ ବିଧାନସଭାକୁ ପ୍ରବେଶ କଲେ ଜୟପୁର କଂଗ୍ରେସ ବିଧାୟକ ତାରା ବାହିନୀପତି। କଳା ପୋଷାକ ପିନ୍ଧି ଗୃହକୁ ଆସିଥିଲେ। ବିଧାନସଭା ଗୃହ ବାହାରରେ ମୁଣ୍ଡିଆ ମାରିବା ପରେ ପ୍ରବେଶ କରିଥିଲେ।ସେହିଭଳି ତାରାଙ୍କ ସସ୍ପେଣ୍ଡକୁ ବିରୋଧ କରି କଳା ଦିବସ ପାଳନ କରୁଛି କଂଗ୍ରେସ। ଏଥିପାଇଁ କଂଗ୍ରେସ ସମସ୍ତ ସଦସ୍ୟ କଳା ପୋଷାକ ପିନ୍ଧି ଗୃହକୁ ଆସିବା ସହ ଘଣ୍ଟ ବାଡେଇ ପ୍ରତିବାଦ କରିଥିଲେ। ଗତ ୧୧ ତାରିଖରେ ବିଧାନସଭାରେ ବିଶୃଙ୍ଖଳା କରିବା ଅଭିଯୋଗରେ ତାରା ବାହିନୀପତିଙ୍କୁ ୭ଟି କାର୍ଯ୍ୟ ଦିବସ ପାଇଁ ନିଲମ୍ବିତ କରିଥିଲେ ବାଚସ୍ପତି ସୁରମା ପାଢୀ ।
ଗୃହକୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାରା “ବିଧାନସଭାରେ ଆଜି କେମିତି ପ୍ରତିବାଦ ହେବ ସେସବୁ ଆଗକୁ ଦେଖିବେ” ବୋଲି କହିଛନ୍ତି । ସେପଟେ ଗୃହ ଭିତରେ ଆଜି ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ଅନନ୍ୟ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକମାନେ କଳାସାର୍ଟ ଆଉ କଳାବ୍ୟାଚ୍ ପିନ୍ଧିବା ସହିତ ଘଣ୍ଟ ବଜେଇ ପ୍ରତିବାଦ କରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ଏହି ପ୍ରତିବାଦର ନେତୃତ୍ୱ ନେଇଛନ୍ତି । ତାରା ନିଜେ ଆଗରେ ରହି, ଘଣ୍ଟ ବଜେଇ ବିଧାନସଭାରେ ପ୍ରତିବାଦ କରିଛନ୍ତି । ଅନ୍ୟପଟେ ବିରୋଧୀ ସଦସ୍ୟଙ୍କ ପ୍ରତିବାଦକୁ ବିଧାନସଭା ଲାଇଭ୍ ଷ୍ଟ୍ରିମିଂରେ ନ ଦେଖାଇବା ଏବଂ ପକ୍ଷପାତିତା ଅଭିଯୋଗ ଆଣି ବିଜେଡି ପ୍ରତିବାଦ କରିଛି ।
କହିରଖୁଛୁ ଯେ, ଗତ ୧୧ ତାରିଖରେ ଅଧିବେଶନ ଚାଲିଥିବା ବେଳେ ଗୃହ ଭିତରେ ବିଶୃଙ୍ଖଳା କରିବା ଅଭିଯୋଗରେ ତାରାଙ୍କୁ ସସପେଣ୍ଡ କରିଥିଲେ ବାଚସ୍ପତି । ତାରାଙ୍କୁ ନିଲମ୍ବନ କରିବା ପ୍ରତିବାଦରେ କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ବସି ସାରା ରାତି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ କଂଗ୍ରେସ ବିଧାୟକ । ମାତ୍ର ପିସିସି ସଭାପତି ପହଞ୍ଚି ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ଦଳର ବିଧାୟକ ।