
ଭୁବନେଶ୍ଵର: ଘର ଖୋଜୁଛି ଘରଚଟିଆ । ଗାଁର ପରିବର୍ତ୍ତିତ କଂକ୍ରିଟ ରୂପରେ ଲୋପ ପାଇଗଲେଣି ବିଶ୍ୱର ନିଆରା ଚଢେଇ ଘରଚଟିଆ । ଏମାନଙ୍କର ସୁରକ୍ଷା ପାଇଁ ୨୦୧୦ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘର ଚଟିଆ ଦିବସ ପାଳନ କରାଯାଉଛି । ଗାଁ ଚାଳ ଘରର ନଡ଼ା ସନ୍ଦି ହେଉ କି କାନ୍ଥ । ଅବା କୋଠାଘରର ସ୍କାଇ ଲାଇଟ୍ । ଇଲେକ୍ଟ୍ରୀ ପୋଲରେ କେବୁଲ୍ ବକ୍ସରେ ବି ଘର ତୋଳି ଜମେଇକି ରହିଥାଏ ଘର ଚଟିଆ । ଗାଁ ସୁନ୍ଦରତାର ଏକ ସ୍ୱତନ୍ତ୍ର ପରିଚୟ ହେଉଛି ଏହି କ୍ଷୁଦ୍ର ଚଢେଇ । ସକାଳ ହେଲେ ଘରଚଟିଆର କିଚିରିମିଚିରି ଶବ୍ଦ ନଥିଲେ ଗାଁ ଗାଁ ପରି ଲାଗେନା । ପୋକଜୋକ ଖାଇ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ଦୁଇଗୁଣ କରୁଥିବା ଘରଚଟିଆ ଏବେ ନିଜେ ଘର ଖୋଜୁଛି ।
ପ୍ରକୃତି ଓ ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଘରଚଟିଆ । ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ଖୋଜୁଛି ଘର । ସିମେଣ୍ଟ, କଂକ୍ରିଟ୍ ଗାଆଁ ଦାଣ୍ଡରେ ଖୋଜି ପାଉନି ନୁଆଁଣିଆ ଚାଳ ଘରଟିଏ । ଯେଉଁଠି ସେ ଛୋଟିଆ ବସାଟିଏ ତୋଳିବ । ହେଲେ ସେ ପାଉନି । ବର୍ତ୍ତମାନର ସନ୍ତୁଳିତ ପରିବେଶ ଭିତରେ ଏମାନେ ନିଜକୁ ଖାପ ଖୁଆଇ ଚଳିବା କଷ୍ଟକର ହୋଇପଡିଛି । ନା ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଚାଳ ଛପର ଘର ଅଛି । ଯେଉଁଥିପାଇଁ ଏମାନଙ୍କ ବଂଶ ଲୋପ ପାଇବାକୁ ବସିଲାଣି । ଆଉ ଶୁଭୁନାହିଁ ସେମାନଙ୍କର ସୁମଧୁର କିଚିରି ମିଚିରି ଶବ୍ଦ । ଏବେ କାଁ ଭାଁ ଏକାକୀ ବିଚରଣ କରୁଥିବାର ଦେଖିବାକୁ ମିଳୁଛି । ଏହି କୁନି ପକ୍ଷୀମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଘର ଆଗରେ ଏଭଳି କୃତି୍ରମ ବସା ଲଗାନ୍ତୁ ।
ଏମାନଙ୍କ ସୁରକ୍ଷା ସମସ୍ତ ଦାୟିତ୍ୱ । ନଚେତ୍ ଆସନ୍ତା ଦିନରେ ଏମାନଙ୍କ ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯିବ । ଏମାନେ ପିଲାଙ୍କ ଛବି ବହିରେ କେବଳ ଛବି ହୋଇ ରହିଯିବେ । ଆଧୁନିକ ମଣିଷ ପାଇଁ ଏ ଘରଚଟିଆ ଅଲୋଡ଼ା ହୋଇପାରେ । କିନ୍ତୁ ଅତୀତରୁ ଏଯାଏଁ ଏମାନଙ୍କ ଅବଦାନ ଅତୁଳନୀୟ । ବିଶେଷ କରି କ୍ଷେତରେ ନଷ୍ଟ କରୁଥିବା କୀଟପତଙ୍ଗକୁ ଏ ଘରଚଟିଆ ଖାଇ ଦେଇଥାଏ । ଫଳରେ ଶସ୍ୟକୁ କୀଟପତଙ୍ଗ ଦାଉରୁ ରକ୍ଷା ପାଇଥାଏ । ଏମାନେ ପ୍ରତି ଗାଆଁରେ ପାଣିପାଗ ସମ୍ପର୍କରେ ବାର୍ତ୍ତା ବି ଦେଇଥାନ୍ତି । ଲୋକମତ ଅନୁସାରେ ଘର ଆଗରେ ଘରଚଟିଆ ବସାଟିଏ ଥିଲେ ଶୁଭ ହୋଇଥାଏ । ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ପ୍ରକୃତି ଓ ମଣିଷ ସମାଜ ପାଇଁ ଏହାର ଅବଦାନ ଅତୁଳନୀୟ ।