
ଲଦାଖ: ଜାମ୍ମୁ-କାଶ୍ମୀରକୁ ଭାରତର ସ୍ୱର୍ଗ ବୋଲି କୁହାଯାଏ । ଏଠାକାର ପାଣି, ପବନ, ପରିବେଶ, ସୌନ୍ଦର୍ଯ୍ୟ କୁ ଦେଖିଲେ ଲାଗେ ଏସବୁ ଯେମିତି ଭଗବାନ ନିଜେ ଶିଳ୍ପୀ ପଠାଇ ଗଢିଛନ୍ତି । ମନମୁଗ୍ଧକର ପାରିବେଶ ସାଙ୍ଗକୁ ସୁସ୍ଥ ଜଳବାୟୁ ଏ ସ୍ଥାନର ଶୋଭାକୁ ଦୁଇଗୁଣିତ କରିଥାଏ । ପ୍ରାକୃତିକ ସୁନ୍ଦରତରେ ଭରା ଜାମ୍ମୁ-କାଶ୍ମୀରରୁ ଏବେ ଲାଦାଖ ଅଲଗା ହୋଇସାରିଛି । ଲଦାଖର ଲେହରେ ରହିଛି ଏକ ଛୋଟ ଗାଁ । ଯାହାର ନାମ ଅଲ୍ଛି । ସିନ୍ଧୁ ନଦୀର ତଟଦେଶରେ ଥିବା ଏହି ଗାଁରେ ବୌଦ୍ଧମଠ ସମେତ ଆହୁରି ରହିଛି ଅନେକ ଆକର୍ଷଣୀୟ ଓ ଦର୍ଶନୀୟ । ଖାସ୍ ସେଥିପାଇଁ ତ ଶାନ୍ତବାତାବରଣ ଭିତରେ କିଛି ସମୟ କଟାଇବା ପାଇଁ ପର୍ଯ୍ୟଟକଙ୍କର ଏଠି ବେଶ୍ ଭିଡ଼ ଜମେ ।
ସିନ୍ଧୁ ନଦୀର ତଟଦେଶରେ ଥିବା ଏହି ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍ ମନଲୋଭା। ତା’ସାଙ୍ଗକୁ ଏଠାରେ ରହିଛି ପ୍ରସିଦ୍ଧ ଅଲ୍ଛି ମଠ, ଯାହା ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ଦର୍ଶନୀୟସ୍ଥାନ । ଅଲ୍ଛିକୁ ବୁଲିଯିବା ପାଇଁ ମେ’ରୁ ସେପ୍ଟେମ୍ବର ହେଉଛି ସବୁଠୁ ଭଲ ସମୟ। ଅଲ୍ଛିରେ ସଧାରଣତଃ ଖୁବ୍ ଥଣ୍ଡା ହେଉଥିବା ବେଳେ ଖରାଦିନେ ଏଠାରେ ଗରମ ମଧ୍ୟ ହୋଇଥାଏ । ସେହିପରି ବର୍ଷା ବି ଏଠାରେ ମଧ୍ୟମ ଧରଣର ହୋଇଥାଏ। ତେଣୁ ପର୍ଯ୍ୟଟକ ନିଜ ସୁବିଧା ଅନୁଯାୟୀ ଯେତେବେଳେ ଚାହିଁବେ ସେତେବେଳେ ଏଠାକୁ ବୁଲିବାକୁ ଯାଇପାରିବେ।
ଅଲ୍ଛି ଗୋଟିଏ ଛୋଟ ଗାଁ ହୋଇଥିଲେ ବି ଏଠାରେ ଦେଖିବା ପାଇଁ ଅନେକ ପର୍ଯ୍ୟଟନସ୍ଥଳୀମାନ ରହିଛି। ଖାସ୍ କରି ଏଠାରେ ଥିବା ଅଲ୍ଛି ମଠ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏହା ହେଉଛି ଏକ ପୁରୁଣା ବୌଦ୍ଧମଠ। ଉକ୍ତ ମଠର ବାସ୍ତୁକଳା ବେଶ୍ ଆକର୍ଷଣୀୟ। ତା’ଛଡ଼ା ଏହି ମଠର କାନ୍ଥଗୁଡ଼ିକରେ ଗୌତମ ବୁଦ୍ଧଙ୍କର ଅନେକ ସୁନ୍ଦର ସୁନ୍ଦର ପେଣ୍ଟିଂ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ସେହିପରି ଏହି ଗାଁ ଭିତରେ ଅନେକ ଛୋଟ ଛୋଟ ମନ୍ଦିର ବି ରହିଛି। ଅନ୍ୟପକ୍ଷେ ସିନ୍ଧୁ ନଦୀର ଆକର୍ଷଣୀୟ ଦୃଶ୍ୟ ମଧ୍ୟ ହେଉଛି ଏଠାକାର ଅନ୍ୟତମ ଆକର୍ଷଣ। ତା’ଛଡ଼ା ଅଲ୍ଛିର ନିକଟବର୍ତ୍ତୀ ଅଞ୍ଚଳରେ ବି ଅନେକ ଛୋଟ ଛୋଟ ମଠ ଏବଂ ଶାନ୍ତିସ୍ତୂପ ଦେଖିବାର ସୁଯୋଗ ପର୍ଯ୍ୟଟକଙ୍କୁ ଏକ ନିଆରା ଆନନ୍ଦ ଦେଇଥାଏ।