
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ବରିଷ୍ଠ ନେତା ଦେବେନ୍ଦ୍ର ପ୍ରଧାନଙ୍କର ଆଜି ବିୟୋଗ ଘଟିଛି । ଦିଲ୍ଲୀସ୍ଥିତ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହେଇଥିଲା । ଦେବେନ୍ଦ୍ର ପ୍ରଧାନ ଏକାଧାରରେ ଜଣେ ଚିକିତ୍ସକ, ଚାଷୀ ଏବଂ ସମାଜସେବୀ ଥିଲେ । ବିଭିନ୍ନ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଡାକ୍ତରୀ ତାଙ୍କର ପେଷା ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ରାଜନୀତି ତାଙ୍କର ନିଶା ପାଲଟିଯାଇଥିଲା । ଆଉ ଦେଖୁ ଦେଖୁ ଚିକିତ୍ସକରୁ ସେ ବନିଯାଇଥିଲେ ଜଣେ ସଫଳ ରାଜନେତା । ତାଙ୍କର ଦୃଢ ଇଛା ଶକ୍ତି ତାଙ୍କୁ ରାଜନୈତିକ କ୍ଷେତ୍ରକୁ ଆଣିଦେଇଥିଲା । ବାଜପେୟୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦେବେନ୍ଦ୍ର ।
୧୯୪୧ ମସିହା ଜୁଲାଇ ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦେବେନ୍ଦ୍ର ପ୍ରଧାନ ଅବିଭକ୍ତ ଢେଙ୍କାନାଳ ଜିଲାରେ ଜନ୍ମଗ୍ରହର କରିଥିଲେ। କଣିହାଁ ଓ ତାଳଚେରରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା କରିବା ପରେ ଅନୁଗୁଳ କଲେଜରୁ ଉଚ୍ଚଶିକ୍ଷା ହାସଲ କରିଥିଲେ। ସେ ୧୯୬୬ ମସିହାରେ କଟକର ଏସସିବି ମେଡିକାଲ କଲେଜରୁ ଏମବିବିଏସ୍ ଡିଗ୍ରୀ ହାସଲ କରିଥିଲେ। ଏହାପରେ ତାଳଚେରରେ ଜଣେ ଡାକ୍ତରୀ ଅଧିକାରୀ ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ୧୯୭୩ ମସିହାରେ ସ୍ଵେଚ୍ଛାକୃତ ଅବସର ନେଇଥିଲେ। ୧୯୮୦ ମସିହାରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ ଏବଂ ବିଜେପିର ତାଳଚେର ମଣ୍ଡଳର ସଭାପତି ହୋଇଥିଲେ। ୧୯୮୩ ମସିହାରେ ସେ ଢେଙ୍କାନାଳ ଜିଲାରେ ବିଜେପିର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ଡାକ୍ତର ଦେବେନ୍ଦ୍ର ଦେବଗଡ଼ ନିର୍ବାଚନମଣ୍ଡଳୀରୁ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୧୯୯୮ ଓ ୧୯୯୯ରେ ଦୁଇଥର ଲୋକ ସଭାକୁ ନିର୍ବାଚିତ ହୋଇଥିଲେ।
ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟ୍ଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ। କେନ୍ଦ୍ର ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ୧୯୮୦ରୁ ୧୯୮୩ ପର୍ଯ୍ୟନ୍ତ ଦେବେନ୍ଦ୍ର ତାଳଚେର ମଣ୍ଡଳର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୩ ରୁ ୧୯୮୮ ପର୍ଯ୍ୟନ୍ତ ସେ ଢେଙ୍କାନାଳ ଜିଲ୍ଲା ବିଜେପିର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତା’ପରେ ୧୯୮୮ ମସିହା ରୁ ୧୯୯୩ ମସିହା ପର୍ଯ୍ୟନ୍ତ ରାଜ୍ୟ ବିଜେପିର ସଭାପତି ଥିଲେ ଦେବେନ୍ଦ୍ର । ଏହାପରେ ୧୯୯୩ ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ । ଏହାପରେ ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ବିଜେପି ସଭାପତି ରହିଥିଲେ ଦେବେନ୍ଦ୍ର । ୧୯୯୮ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଦେବେନ୍ଦ୍ର ପ୍ରଧାନ । ୧୯୯୭ରୁ ୧୯୯୮ ପର୍ଯ୍ୟନ୍ତ ସେ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ ।