
ପୁରୀ: ପବିତ୍ର ଫଗୁ ଦଶମୀରେ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଝିମିରି ଫଗୁ ଖେଳିବେ ଦୋଳଗୋବିନ୍ଦ । ଦୋଳପୂର୍ଣ୍ଣିମାରେ ହେବ ସୁନାବେଶ । ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରାରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହେବ। ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ଚାଚେରୀ ବେଶରେ ଦର୍ଶନ ଦେବେ। ପ୍ରଥମ ଦିନରେ ମହାପ୍ରଭୁ ଫଗୁ ଖେଳ ଖେଳିବା ସହ ଚାଚେରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀବିଗ୍ରହମାନଙ୍କୁ ବୋଇରାଣି, ମାଧାବଳୀ ବସ୍ତ୍ର ପରିଧାନ ସହ ଚାଚରୀ ବେଶ କରାଯାଇଥିଲା।
ଆଜି ଫାଲଗୁନ ଶୁକ୍ଳ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ। ମଧ୍ୟାହ୍ନ ଧୂପ ବଢ଼ିବା ପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ମହାପ୍ରଭୁଙ୍କୁ ବିଭୂଷିତ କରିଥିଲେ ସେବାୟତ । ତିନି ବାଡ଼ରେ ଘଣ୍ଟ, ଛତା, ସର୍ବାଙ୍ଗ ସମ୍ପନ୍ନ ହେବା ପରେ କର୍ପୁର ଆଳତୀ କରାଯାଇଥିଲା। ଏହାସହିତ ଫଗୁ ଆଞ୍ଜୁଳି ଦେବା ପରେ ପାଳିଆ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସିଂହାସନ ଉପରକୁ ଉଠି ପ୍ରସାଦ ମଇଲମ କରିଥିଲେ । ସେହିପରି ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ବତନ୍ତ୍ର ବିମାନରେ ବିଜେ କରି ଜଗନ୍ନାଥ ବଲ୍ଲଭ ମଠକୁ ଆସିଥିଲେ। ସେଠାରେ ଅବିର ଓ ଫଗୁ ଲାଗି କରାଯାଇଥିଲା ।
ତେବେ ଫାଲଗୁନ ଶୁକ୍ଳ ଦଶମୀ ଠାରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି। ପ୍ରଚଣ୍ଡ ଖରାରେ ମହାପ୍ରଭୁଙ୍କ ଚାଚେରୀ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଚାଚେରୀ ବେଶରେ ମହାପ୍ରଭୁ ନାଲି ରଙ୍ଗର ବସ୍ତ୍ର ପରିଧାନ କରି ବିଭିନ୍ନ ଅଳଙ୍କାରରେ ସଜ୍ଜିତ ହୋଇଥିବାରୁ ଭାଗ୍ୟରେ ଥିଲେ ଏଭଳି ଦର୍ଶନର ସୁଯୋଗ ମିଳେ ବୋଲି ସେବାୟତ କହିଛନ୍ତି ।
ସେପଟେ ଆସନ୍ତା ୧୩ ତାରିଖରେ ମେଣ୍ଢା ପୋଡ଼ି ଓ ୧୪ ତାରିଖରେ ଦୋଳପୂର୍ଣ୍ଣମୀ ଅନୁଷ୍ଠିତ ହେବ । ଏହି ଅବସରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳବେଦୀକୁ ଆସିବାର ପରମ୍ପରା ରହିଛି । ଦୋଳପୂର୍ଣ୍ଣିମା ଦିନ ସକାଳ ଧୂପ ପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ଵର ବେଶ ମଧ୍ୟ ଅନୁଷ୍ଠିତ ହେବ । ତେଣୁ ମହାପ୍ରଭୁଙ୍କ ନୀତି କାନ୍ତି ଶୃଙ୍ଖଳିତ କରିବା ପାଇଁ ସମସ୍ତ ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ସମନ୍ୱୟ ରଖିଥିବା ସେବାୟତ କହିଛନ୍ତି । ସେପଟେ ଦୋଳପୂର୍ଣ୍ଣିମା ଆଉ ମାତ୍ର ଖୁବ୍ କମ୍ ଦିନ ଥିବାବେଳେ ଦୋଳବେଦୀର ସମସ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଛି। ମହାପ୍ରଭୁଙ୍କ ସହ ଦୋଳପୂର୍ଣ୍ଣିମାରେ ଫଗୁ ଖେଳିବା ପାଇଁ ଭକ୍ତମାନେ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି।