
ଭୁବନେଶ୍ଵର: ମହାପ୍ରଭୁଙ୍କୁ ଅସମ୍ମାନ। ଆଣ୍ଠୁରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ। ଆଣ୍ଠୁରେ ଟାଟୁ କରି ଅଡ଼ୁଆରେ ବିଦେଶିନୀ। ଟାଟୁ କରିଥିବା ଟାଟୁ ଆର୍ଟ ଦେଲେ ହ୍ୱାଟ୍ସଆପ ଷ୍ଟାଟସ୍। ଯାହାପରେ ସାଧାରଣରେ ଅସନ୍ତୋଷ ବଢିଛି। ତେବେ ଘଟଣାକୁ ନେଇ ସହିଦ ନଗର ଥାନାର ଦ୍ବାରସ୍ଥ ହେଲେ ଜଗନ୍ନାଥ ପ୍ରେମୀ। ସଂମୃକ୍ତ ଟାଟୁ ଆର୍ଟିଷ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି।
ଏହି ଟାଟୁ ଆଙ୍କିଥିବା ଭୁବନେଶ୍ବର ରକି ଟାଟୋଜ୍ ବିରୋଧରେ ସହିଦନଗର ଥାନାରେ ଏତଲା ଦିଆଯାଇଛି । ରକି ଟାଟୋଜ୍ ଷ୍ଟୁଡିଓ ମାଲିକ ରକି ରଞ୍ଜନ ବିଶୋଇ ଜଗନ୍ନାଥଙ୍କୁ ଅପମାନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ହିନ୍ଦୁ ଧର୍ମୀୟ ଭାବନାକୁ କୁଠାରଘାତ ସହ ଜଗନ୍ନାଥଙ୍କୁ ଅପମାନିତ କରାଯାଇଛି। ବିଦେଶିନୀ ଜଙ୍ଘରେ ଆଙ୍କିଥିବା ଟାଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବତୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୋ ଦେଖିବା ପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି।
ବିବାଦ ତେଜିବା ପରେ ରକି ରଞ୍ଜନ ସାମ୍ନାକୁ ଆସି ସଫେଇ ଦେଇଛନ୍ତି । ଆଉ ଏଥିପାଇଁ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି । ଇଟାଲିର ଯୁବତୀ ଜଣଙ୍କ ଶନିବାର ଷ୍ଟୁଡିଓକୁ ଆସି ଜଂଘରେ ଟାଟୁ କରିବାକୁ ଅନୁରୋଧ କରିଥିଲେ । ଏହାପରେ ଜଣେ ଆର୍ଟିଷ୍ଟ୍ ତାହା କରିଦେଇଥିଲେ। ଉକ୍ତ ଟାଟୁ କରିଥିବା ଯୁବତୀଙ୍କୁ ସେ ଯୋଗାଯୋଗ କରିଛନ୍ତି । ବର୍ତ୍ତମାନ ଉକ୍ତ ଟାଟୁକୁ ଲିଭାଗଲେ ସଂକ୍ରମଣ ହୋଇଯିବାର ଆଶଙ୍କା ରହିଛି। ଯୁବତୀ ଜଣଙ୍କ ମାସେ ପରେ ଏଠାକୁ ଆସି ଟାଟୁକୁ ଲିଭାଇବେ କିମ୍ବା ତାହା ପରିବର୍ତ୍ତେ ସେହି ସ୍ଥାନରେ ଆଉ କିଛି ଆର୍ଟ କରିବେ ବୋଲି ରକି କହିଛନ୍ତି।