
ଭୁବନେଶ୍ଵର; ମହିଳାମାନଙ୍କ ପାଇଁ ଖୁସି ଖବର । ସୁଭଦ୍ରାଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା । ମାର୍ଚ୍ଚ ମାସରେ ଦୁଇ ଦୁଇ ଥର ମିଳିବ ସୁଭଦ୍ରା ଟଙ୍କା । ମହିଳା ହେବେ ମାଲାମାଲ । କାରଣ ମାର୍ଚ୍ଚ ମାସ ୬ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ପଞ୍ଚମ ପର୍ଯ୍ୟୟ ଟଙ୍କା ମିଳିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ମାର୍ଚ୍ଚ ୬ ରେ ଦିଆଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ସେପଟେ ୩୧ ମାର୍ଚ୍ଚ ହେଉଛି ‘ସୁଭଦ୍ରା’ ଆବେଦନର ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ସୁଭଦ୍ରା ଆବେଦନ କରିପାରିବେନି ମହିଳା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୩୧ ଭିତରେ ଯେଉଁମାନେ ସୁଭଦ୍ରା ଆବେଦନ କରିଥିବେ ସେମାନଙ୍କୁ ଏକକାଳୀନ ମିଳିବ ସୁଭଦ୍ରା ଟଙ୍କା । ରାକ୍ଷୀ ପୂର୍ଣ୍ଣିମାରେ ସେମାନେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ । ଏବେ ‘ସୁଭଦ୍ରା’ ମ୍ୟାଜିକ୍ ନମ୍ବର କୋଟିଏରୁ ଊର୍ଦ୍ଧ୍ବ ଛୁଇଁଛି । ୮ ମାସରେ ଗୋଟିଏ ଯୋଜନା ହୋଇ କୋଟିଏ ମହିଳାଙ୍କୁ ‘ସୁଭଦ୍ରା’ ମିଳିବା ଇତିହାସ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ହିତାଧିକାରୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା । ପଞ୍ଚମ କିସ୍ତିରେ ୧ ଲକ୍ଷ ୭୦ ହଜାର ମହିଳା ଏହି ଟଙ୍କା ପାଇବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ଦିନକ ପରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ । ଏଥିରେ ରାଜ୍ୟର ପ୍ରାୟ ୧ କୋଟି ମହିଳା ଉପକୃତ ହେବେ । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ୫ ହଜାର ଲେଖାଏଁ ଟଙ୍କା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସୁଭଦ୍ରା ପ୍ରଥମ କିସ୍ତିର ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି ।
ଆଉ ପଞ୍ଚମ ପର୍ଯ୍ୟାୟରେ ୧ ଲକ୍ଷ ୭୦ ହଜାର ମହିଳାଙ୍କ ଆକାଉଣ୍ଟକୁ ଯିବ ୫୦୦୦ ତା ସହ ପୁରାଣ ହେବ ସରକାରଙ୍କ ୧ କୋଟି ଟାର୍ଗେଟ ଆଉ ଦ୍ୱିତୀୟ କିସ୍ତିରେ ଏକାଥର ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରାର ଦ୍ୱିତୀୟ କିସ୍ତି । ଗତ ଫେବ୍ରୁଆରୀ ୮ ତାରିଖରେ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିଥିଲା । ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ପଠାଇଥିଲେ ରାଜ୍ୟ ସରକାର । ଏହାକୁ ମିଶାଇ ଗତ ୭ ମାସରେ ୯୮ ଲକ୍ଷରୁ ଅଧିକ ମହିଳା ହିତାଧିକାରୀ ଉପକୃତ ହୋଇସାରିଛନ୍ତି । ଏହାସହ ରାଜ୍ୟବ୍ୟାପି ୯୮ ଲକ୍ଷ ୩୦ ହଜାର ୯୩୪ ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି ।
୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧ ଶହ ୪୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହାସହ ସୁଭଦ୍ରା ସୁରକ୍ଷା ଅଧୀନରେ ମଧ୍ୟ ୧ ଶହ ୫୩ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ମୋହନ ସରକାର । ତା ସହିତ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯିଏ ଆଦୌ ଆବେଦନ କରିନାହାଁନ୍ତି ସେମାନେ ଯଦି ଏବେ ଆବେଦନ କରନ୍ତି ତେବେ ମାର୍ଚ୍ଚ ୮ ତାରିଖରେ ଦୁଇଟି କିସ୍ତି ଟଙ୍କା ପାଇପାରିବେ ।