
ଭୁବନେଶ୍ଵର: ହିନ୍ଦୁ ଧର୍ମରେ ମହାଶିବରାତ୍ରିର ପର୍ବର ଏକ ବିଶେଷ ମହତ୍ତ୍ୱ ରହିଛି । ଶିବ ଭକ୍ତମାନେ ବର୍ଷସାରା ମହାଶିବରାତ୍ରି ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ପ୍ରତିବର୍ଷ ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ତିଥିରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ହୋଇଥିଲା। ତେଣୁ ଶିବଶଙ୍କର ଓ ମା’ ଗୌରୀଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ପାଳନ କରିବା ସହ ବିଧି ବିଧାନରେ ପୂଜାର୍ଚ୍ଚନା କରିଥାଆନ୍ତି। ଏହି ଦିନ ବେଲପତ୍ର, ଭାଙ୍ଗ, ଦୁଦୁରା ଫୁଲ, ଶ୍ୱେତ ଚନ୍ଦନ, ଧଳା ଫୁଲ, ଗଙ୍ଗାଜଳ ଓ ଗାଈ କ୍ଷୀର ପ୍ରଭୁଙ୍କୁ ଅର୍ପଣ କରାଯାଏ। ମାତ୍ର ଏପରି ମଧ୍ୟ କୁହାଯାଏ ପ୍ରଭୁ ମହେଶ୍ୱରଙ୍କୁ ଏକ ଲୋଟା ଜଳ ଅର୍ପଣ କଲେ ମଧ୍ୟ ପ୍ରଭୁ ପ୍ରସନ୍ନ ହୋଇଥାଆନ୍ତି। ମାତ୍ର କିଛି ଏଭଳି ଭୋଗ ରହିଛି,ଯାହାକୁ ପ୍ରଭୁଙ୍କୁ ଅର୍ପଣ କଲେ ମହାଦେବଙ୍କ ବିଶେଷ କୃପା ମିଳିଥାଏ। ଜାଣନ୍ତୁ ମହାଶିବରାତ୍ରୀରେ କେଉଁ ଭୋଗ ପ୍ରଭୁଙ୍କୁ ଅର୍ପଣ କରିବେ..
ମହାଶିବରାତ୍ରୀ ଦିନ ଭଗବାନ ଭୋଳାଶଙ୍କରଙ୍କୁ ଦହି ଭୋଗ ଅର୍ପଣ କରନ୍ତୁ। ଏଥିରେ ଭାଙ୍ଗ ମିଶାଯାଏ। ଏହା ପ୍ରଭୁଙ୍କୁ ଖୁବ୍ ପସନ୍ଦ। ମାନ୍ୟତା ଅନୁଯାୟୀ ପ୍ରଭୁଙ୍କୁ ଏହି ଭୋଗ ଅର୍ପଣ କଲେ ପ୍ରଭୁ ଖୁବ ପ୍ରସନ୍ନ ହୋଇଥାଆନ୍ତି।
ସେହିଭଳି ଲସୀ ମଧ୍ୟ ଭୋଗ କରିପାରିବେ। ପୂଜା ପରେ ଏହାକୁ ନିଜେ ଗ୍ରହଣ କରିବା ସହ ବାଣ୍ଟି ଦିଅନ୍ତୁ।
ଏହି ଦିନ ପ୍ରଭୁଙ୍କ ନିକଟରେ ହାଲୱା ଭୋଗ କରନ୍ତୁ। ଏହାକୁ ସୁଜିରେ ପ୍ରସ୍ତୁତ କରି ପାରିବେ। ପ୍ରଭୁଙ୍କୁ ଏହି ଭୋଗ ଅର୍ପଣ କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି।
ପ୍ରଭୁଙ୍କୁ ଭାଙ୍ଗ ମଧ୍ୟ ଅତ୍ୟନ୍ତ ପ୍ରିୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଭାଙ୍ଗର ପକୁଡି ପ୍ରସ୍ତୁତ କରି ପ୍ରଭୁଙ୍କୁ ଅର୍ପଣ କରି ପାରିବେ।
ସେହିଭଳି ଭୋଳା ଶଙ୍କରଙ୍କୁ ମାଲପୁଆ ମଧ୍ୟ ଖୁବ ପ୍ରିୟ। ମହାଶିବରାତ୍ରୀ ଦିନ ମାଲପୁଆ ଭୋଗ କରି ଅର୍ପଣ କରନ୍ତୁ। ଏହାଦ୍ୱାରା ପ୍ରଭୁ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି।