
ନୂଆଦିଲ୍ଲୀ: ଦେଶ ତଥା ଦେଶ ବାହାରୁ ବହୁ ପର୍ଯ୍ୟଟକ ମନାଲି ପର୍ଯ୍ୟଟନରେ ଆସିଥାନ୍ତି । ମନାଲିର ବରଫ ଚାଦର ସହ ଏଠାକାର ପ୍ରାକୃତିମ ପରିବେଷ ପର୍ଯ୍ୟଟକଙ୍କ ମନକୁ ଶାନ୍ତି ଆଣିଦିଏ । ଋତୁ ଯାହା ବି ହେଉ ନା କାହିଁକି ଏଠାରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ ଜମେ । ଦେଶ ତଥା ଦେଶ ବାହାରୁ ଅନେକ ପର୍ଯ୍ୟଟକ ଏଠାକୁ ପରିଭ୍ରମଣରେ ଆସନ୍ତି । ତେବେ ଏଠାରେ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ହେଉଛି ହିଡିମ୍ବା ମନ୍ଦିର । ଏହା ଏକ ପ୍ରାଚୀନ ଗୁମ୍ଫା ମନ୍ଦିର; ଯାହା ହିଡିମ୍ବା ଦେବୀଙ୍କୁ ସମର୍ପିତ।
ହିଡିମ୍ବା ଦେବୀ ହେଉଛନ୍ତି ଭୀମଙ୍କର ରାକ୍ଷସୀ ପତ୍ନୀ। କେହି କେହି ତାଙ୍କୁ ହିଡିମ୍ବୀ ଦେବୀ ବା ହଡିମ୍ବା ଦେବୀ ବୋଲି ବି କହିଥାନ୍ତି। ଏହି ମନ୍ଦିରଟି ମନାଲି ନିକଟସ୍ଥ ଏକ ଉଚ୍ଚ ସ୍ଥାନରେ ଅଛି; ଯାହାକୁ ଚର୍ତୁଃପାଶ୍ୱରୁ ଦେବଦାରୁ ବୃକ୍ଷ ଘେରି ରହିଛି । ୧୫୫୩ ମସିହାରେ ବାହାଦୂର ସିଂହ ଏହି ମନ୍ଦିରକୁ ନିର୍ମାଣ କରିଥିଲେ । ମନ୍ଦିରଟି ୪ ମହଲା ବିଶିଷ୍ଟ ଓ କାଠରେ ନିର୍ମିତ କାରଣରୁ ଏହାର ସୂକ୍ଷ୍ମ କାରିଗରୀ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ । ସ୍ଥାନୀୟ ବାସିନ୍ଦା ମାନେ ଦେବୀଙ୍କୁ ବିପର୍ଯ୍ୟୟ ର ସୁରକ୍ଷାକାରୀ ଭାବେ ମାନି ଆସିଛନ୍ତି । ମାଙ୍କ ଉପସ୍ଥିତି କାରଣରୁ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ନ ଥିବା କହନ୍ତି ସ୍ଥାନୀୟ ଅଧିବାସୀ ।
ଗ୍ରୀଷ୍ମଦିନେ ଏଠାରେ ଲମ୍ବିଥାଏ ପର୍ଯ୍ୟଟକଙ୍କ ଧାଡି । ମନ୍ଦିରଟି ଘଞ୍ଚ ଜଙ୍ଗଲ ଭିତରେ ରହିଛି ଓ ଦେବୀ ହିଡିମ୍ବା ପ୍ରକୃତିର ରକ୍ଷା ଦିଗରେ ଏଠାରେ ବିରାଜମାନ କରିଛନ୍ତି ବୋଲି ବିଶ୍ୱାସ ରହିଛି । ଖରାଦିନେ ମନ୍ଦିରର ଅନେକ ଅଂଶ ଉପରେ ସୂର୍ଯ୍ୟକିରଣ ପଡେନି । ପ୍ରାକୃତିକ ପରିବେଶ ଶାନ୍ତ ଶୀତଳ ଅନୁଭବ ଦେଉଥିବାରୁ କର୍ମ କ୍ଳାନ୍ତ ମଣିଷ ଟିକିଏ ଶାନ୍ତି ପାଇଁ ଏଠାକୁ ଛୁଟି ଆସୁଥିବା ଦେଖିବାକୁ ମିଳେ ।
ପୌରାଣିକ କଥା ଅନୁଯାୟୀ, ହିଡିମ୍ବା ଜଣେ ରାକ୍ଷସୀ କନ୍ୟା ହୋଇଥିଲେ ବି ତାଙ୍କ ମନରେ ଦୟାଭାବ ଥିଲା। ହେଲେ ତାଙ୍କ ଭାଇ ହିଡିମ୍ବ କ୍ରୁର ପ୍ରକୃତିର ଥିଲେ। ସିଏ ନିଜ ସ୍ବାର୍ଥ ପାଇଁ ଭଉଣୀକୁ ସବୁବେଳେ ବ୍ୟବହାର କରୁଥିଲେ। ଭାଇର ଖୁସି ପାଇଁ ହିଡିମ୍ବା ବାଧ୍ୟ ହୋଇ ସବୁକାମ କରୁଥିଲେ। ଉଭୟ ଭାଇ ଭଉଣୀ ଏହି କ୍ଷେତ୍ରରେ ରହୁଥିଲେ। ହିଡିମ୍ବା ପ୍ରତିଜ୍ଞା କରିଥିଲେ ଯେ, ତାଙ୍କ ଭାଇ ହିଡିମ୍ବଙ୍କୁ ଯିଏ ଯୁଦ୍ଧରେ ପରାସ୍ତ କରିଦେବ, ତାଙ୍କୁ ହିଁ ସେ ବିବାହ କରିବେ। ସମୟକ୍ରମେ, ପାଣ୍ଡବମାନେ ନିର୍ବାସିତ ଥିବା ସମୟରେ ଯେତେବେଳେ ବୁଲିବୁଲି ଏହି ସ୍ଥାନକୁ ଆସିଲେ, ସେତେବେଳେ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରୁ ଭୀମ ହିଡିମ୍ବର ଯାତନା ଓ ଅତ୍ୟାଚାରରୁ ସ୍ଥାନୀୟ ଲୋକଙ୍କୁ ରକ୍ଷା କରିବା ପାଇଁ ତା’ସହିତ ଯୁଦ୍ଧ କଲେ ଏବଂ ତାକୁ ପରାସ୍ତ କରିଦେଲେ।
ପ୍ରତିଜ୍ଞା ଅନୁସାରେ, ହିଡିମ୍ବା ଭୀମଙ୍କୁ ରାଜି କରାଇ ତାଙ୍କ ସହିତ ବିବାହ କଲେ। ପରେ ଭୀମ ଓ ହିଡିମ୍ବାଙ୍କର ଘଟୋତ୍କଚ ନାମରେ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ଘଟୋତ୍କଚ ବଡ଼ ହେବା ପରେ ତା’ ହସ୍ତରେ ସମସ୍ତ ଦାୟିତ୍ୱ ଦେଇ ହିଡିମ୍ବା ନିଜର ରାକ୍ଷସୀ ଜୀବନରୁ ମୁକ୍ତି ପାଇବା ପାଇଁ ଜଙ୍ଗଲକୁ ଯାଇ ଧ୍ୟାନ କରିବାକୁ ଲାଗିଲେ। ବହୁ ବର୍ଷ ତପସ୍ୟା କରିବା ପରେ ଈଶ୍ୱର ତାଙ୍କର ପ୍ରାର୍ଥନା ଶୁଣିଲେ ଆଉ ତାଙ୍କୁ ଦେବୀ ହେବାର ଗୌରବପ୍ରାପ୍ତ ହେଲା। ଶୁଣିବାକୁ ମିଳେ ଯେ, ହିଡିମ୍ବା ଜଙ୍ଗଲରେ ଯେଉଁ ଚଟାଣ ଉପରେ ବସି ତପସ୍ୟା କରୁଥିଲେ, ପରବର୍ତ୍ତୀ ସମୟରେ ଠିକ୍ ସେହି ଚଟାଣ ଉପରେ ହିଁ ମହାରାଜା ବାହାଦୂର ସିଂଙ୍କ ଦ୍ୱାରା ହିଡିମ୍ବା ଦେବୀଙ୍କର ଏହି ମନ୍ଦିରଟି ନିର୍ମାଣ କରାଗଲା।