
କନ୍ଧମାଳ: କନ୍ଧମାଳ ପୋଲିସକୁ ବଡ ସଫଳତା । ୧୦ ହଜାର ୮୫୨ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । କନ୍ଧମାଳ ଜିଲ୍ଲା ପୋଲିସ ୫ ଟି ଥାନା ଅଞ୍ଚଳରେ ଏକ କାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରଥମ ଥର ପାଇଁ ପୋଲିସ ଏକ କାଳୀନ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳତା ହାସଲ କରିଛି।
ଉଲ୍ଲେଖଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ, କନ୍ଧମାଳ ଏସପି ବି. ସି. ହରିଶ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଦାରୁଗୋଣ୍ଡା ଘାଟି ନିକଟ ଜଙ୍ଗଲରୁ ୬୫୨୦ କେଜି, ଫିରିଙ୍ଗିଆ ଥାନା ଅଧୀନରେ ଥିବା କାସିନପଦର ଗ୍ରାମ ପଞ୍ଚାୟତର ମାଜିପଡ଼ା ଜଙ୍ଗଲରୁ ୧୫୨୦ କେଜି, ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଦ୍ରୁଜୁ ଗ୍ରାମ ପଂଚାୟତ ମିନିଆକଟି ଜଙ୍ଗଲରୁ 2052 କେଜି., ବାଲିଗୁଡ଼ା ଥାନା ଅଧୀନ ଜାକ୍ରିପଦା ଜଙ୍ଗଲରୁ ୬୫୦ କେଜି, ଟିକାବାଲି ଥାନା ଅନ୍ତର୍ଗତ ସୁନାପଙ୍ଗା ଗ୍ରାମ ନିକଟରୁ ୧୧୦ କେଜି ଜବତ କରାଯାଇଛି। ସମୁଦାୟ ୧୦,୮୫୨ କେଜି ଜବତ କରା ଯାଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଛି। ଉକ୍ତ ମାମଲାର ତଦନ୍ତ ଜାରି ରହିଥିବା ବେଳେ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।
ଉଲ୍ଲେଖଯୋଗ୍ୟ ଯେ,ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଥିବା ବେଳେ ଏହାକୁ ମୂଳପୋଛ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି। ଏହି ସ୍ଵତନ୍ତ୍ର ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ସୀମା ମଧ୍ୟରେ ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟ କରିବାକୁ ଡିଜିପି ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।