ଭୁବନେଶ୍ଵର: କିଟ୍ରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ। ଭୁବନେଶ୍ଵର ଏମ୍ସରେ ଶବ ବ୍ୟବଚ୍ଛେଦ କରାଯିବ। ପରିବାର ଲୋକ ପହଞ୍ଚିବା ପରେ ଏହି ପ୍ରକ୍ରିୟା ଆରମ୍ଭ କରାଯିବ। ତେବେ ରବିବାର ଅପରାହ୍ନରେ କିଟ୍ ହଷ୍ଟେଲ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିଲେ। ଏକ ରୁମରୁ ନେପାଳୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ନେପାଳ ଛାତ୍ରଛାତ୍ରୀ କର୍ତ୍ତୃପକ୍ଷଙ୍କ ବିରୋଧରେ ହୋ-ହଲ୍ଲା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସ୍ଥିତି ଅଣାୟତ୍ତ ହେବାରୁ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସକୁ ‘ସାଇନ-ଏ-ଡାଏ’ ଘୋଷଣା କରାଯାଇଥିଲା। ତୁରନ୍ତ ହଷ୍ଟେଲ ଖାଲି କରିବା ଲାଗି ସେମାନଙ୍କୁ ନିର୍ଦେଶ ଦିଆଯାଇ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ଓ କ୍ୟାମ୍ପସରୁ ଜୋରଜବରଦସ୍ତ ନେଇ ବସ୍ଯୋଗେ କଟକ ରେଳ ଷ୍ଟେସନରେ କର୍ତ୍ତୃପକ୍ଷ ଛାଡ଼ିଦେଇଥିଲେ। ସ୍ବଦେଶ ଫେରିବା ଲାଗି ସେମାନେ ନାହିଁ ନଥିବା ହିନସ୍ତା ହୋଇଥିଲେ। ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ସାମାଜିକ ଗଣମାଧ୍ୟମରେ ଉଦ୍ବେଗ ପ୍ରକାଶ କରିଥିଲେ। ଏପରିକି ଏହାକୁ ନେଇ ନେପାଳ ପାର୍ଲାମେଣ୍ଟରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ଭାରତ-ନେପାଳ କୁଟନୈତିକସ୍ତରରେ ଆଲୋଚନା ଚାଲିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ଶର୍ମା ଦର୍ଶାଇଥିଲେ। ଏହାପରେ ଚାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସ୍ ଫେରି ଆସିବା ଲାଗି ନେପାଳ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମୃତ ଛାତ୍ରୀ ହେଲେ ବି.ଟେକ୍ ତୃତୀୟ ବର୍ଷରେ ପଢ଼ୁଥିବା ପ୍ରକୃତି ଲମସାଲ। ଅଭିଯୋଗ ପରେ ଇନ୍ଫୋସିଟି ଥାନା ପୁଲିସ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ସୋମବାର ଅଦାଲତ ଚାଲାଣ କରିଛି। ଗିରଫ ଛାତ୍ର ଲେକ୍ଷ୍ମୗର ଅଭିକ ଶ୍ରୀବାସ୍ତବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନାନୁଯାୟୀ, ଉକ୍ତ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହି ଛାତ୍ରୀ ପ୍ରକୃତି ପାଠ ପଢ଼ୁଥିଲେ। ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ୁଥିବା ଅଭିଯୁକ୍ତ ଛାତ୍ର ଅଭିକ ତାଙ୍କ ସହିତ ୩ ବର୍ଷ ଧରି ସମ୍ପର୍କ ରଖିଥିଲା। ଛାତ୍ରୀଙ୍କ କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡ଼ିଓ ଅଭିକ ପାଖରେ ଥିଲା। ଏହି ଭିଡ଼ିଓ ଓ ଫଟୋକୁ ପ୍ରଘଟ ପାଇଁ ଧମକ ଦେଇ ଅଭିଯୁକ୍ତ ଛାତ୍ର ତାଙ୍କୁ ବ୍ଲାକମେଲିଂ କରୁଥିଲା। ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲା। ଅସହ୍ୟ ହେବାରୁ ଛାତ୍ରୀ ଜଣକ ରବିବାର ହଷ୍ଟେଲ ରୁମ୍ରେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ଖବର ଜଣାପଡ଼ିବା ମାତ୍ରେ କ୍ୟାମ୍ପସରେ ଅସନ୍ତୋଷ ଦେଖାଦେଇଥିଲା। ସେମାନେ ମୃତ ଦେହ ଦେଖିବାକୁ ଚାହିଁଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନଥିଲା। ପ୍ରାୟ ଏକ ହଜାରରୁ ଅଧିକ ନେପାଳୀ ଛାତ୍ରଛାତ୍ରୀ ପ୍ରତିବାଦ ସ୍ୱରୂପ କ୍ୟାମ୍ପସ ନିକଟରେ ରାସ୍ତା ଅବରୋଧ କରି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାମଲା ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିବା ସହିତ ଛାତ୍ରଛାତ୍ରୀ କ୍ୟାମ୍ପସରେ ନାନା ପ୍ରକାର ସ୍ଲୋଗାନ ଦେଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଛାତ୍ରମାନେ ହୋ-ହଲ୍ଲା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ କ୍ୟାମ୍ପସରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପୁଲିସ ପଠାଇଥିଲା। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପୁଲିସ ସୂଚନା ଦେଇଛି।