ଭୁବନେଶ୍ଵର: ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ କି ଓଲିଉଡ ସୁପରଷ୍ଟାର ତଥା ଓଡିଶାର ଭାଇଜାନ ଅନୁଭବ ମହାନ୍ତି । ଶୁଣିବାକୁ ମିଳୁଛି କାଳେ ହାତକୁ ଦି ହାତ ହେବେ ଅନୁଭବ ଆଉ ଜାଗୃତି । ବର୍ଷାଙ୍କ ସହ ଅନୁଭବଙ୍କ ବିବାହ ବିଚ୍ଛେଦ ପରେ ଏବେ ନୂଆ ଜୀବନ ଆରମ୍ଭ କରୁଛନ୍ତି ସୁପରଷ୍ଟାର ଅନୁଭବ । ଆଉ ଏହାରି ଭିତରେ ଜାଗୃତିଙ୍କ ଏକ ବୟାନ ଏବେ ଚର୍ଚ୍ଚାକୁ ଆହୁରି ବଢାଉଛି । ଗତକାଲି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫିର ଉନ୍ମୋଚନ ଅବସରରେ ଜାଗୃତିଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା । ଆଉ ସେହି ପ୍ରଶ୍ନରେ ଜାଗୃତିଙ୍କ ଉତ୍ତର ଏବେ ଚର୍ଚ୍ଚାକୁ ଶକ୍ତି ଦେଇଛି ।
ବାସ୍ତବରେ ଅନୁଭବଙ୍କ ଫ୍ୟାନ୍ସମାନେ ଜାଗୃତିଙ୍କୁ ଭାଉଜ ବୋଲି ସୋସିଆଲ ମିଡିଆରେ ଡାକୁଛନ୍ତି। ଏହି ଭାଉଜ ଡାକ ଶୁଣି ଜାଗୃତି ରାଗିଯାଉଛନ୍ତି ନା ଭାଉଜ ଡାକ ବାସ୍ତବ ରୂପ ନେବ ବୋଲି ଜାଗୃତିଙ୍କୁ ପ୍ରଶ୍ନ କରାଯାଇଥିଲା । ଏହି ପ୍ରଶ୍ନର ଉତ୍ତରରେ ଜାଗୃତି କହିଛନ୍ତି ଯେ ଆଗକୁ ଅନୁଭବଙ୍କ ଫ୍ୟାନ୍ସମାନେ ଖୁସି ଖବର ପାଇବେ ଓ ଅନୁଭବ ତାଙ୍କ ଫ୍ୟାନ୍ସ ମାନଙ୍କୁ ନିରାଶ କରିବେ ନାହିଁ। ଜାଗୃତିଙ୍କ ଏହି ବୟାନ ଏବେ ପ୍ରଶଂସକଙ୍କ ମନରେ ଏକ ଉତ୍ସାହ ଖେଳାଇଛି ।
ସୂଚନାଯୋଗ୍ୟ, ଗତକାଲି ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବହୁପ୍ରତିକ୍ଷୀତ ବାୟୋଗ୍ରାଫିର ଉନ୍ମୋଚନ କରାଯାଇଛି। ଭୁବନେଶ୍ୱରର ଏକ ତାରକା ହୋଟେଲଠାରେ ଆୟୋଜିତ ଏହି ଲଂଚ ଇଭେଂଟରେ ଚଳଚ୍ଚିତ୍ର, ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଟାଇମ୍ପାସ୍ ପବ୍ଲିକେସନ୍ ଦ୍ୱାରା ପ୍ରକାଶିତ ଏହି ବାୟୋଗ୍ରାଫିର ରଚନା କରିଛନ୍ତି ଜାଗୃତି ଶୁକ୍ଳା।ଓଡିଶା ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ପ୍ରାଧାନ୍ୟତାଠାରୁ ଆରମ୍ଭ କରି ତାଙ୍କର ପ୍ରଭାବଶାଳୀ ରାଜନୈତିକ କ୍ୟାରିୟର ଏବଂ ଓଡ଼ିଶା ତଥା ରାଜ୍ୟବାସୀଙ୍କ ପାଇଁ ତାଙ୍କର ଦୃଢ ନିଷ୍ଠା ପର୍ଯ୍ୟନ୍ତ, ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଛି।