
ଭୁବନେଶ୍ଵର: ଗଣିତରେ ଫେଲ ଅଷ୍ଟମ ଶ୍ରେଣୀ ପିଲା । ଜାଣିନାହାନ୍ତି ଫେଡାଣ ଓ ହରଣ । ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନ । ମାତ୍ର ସୁରୁଖୁରୁରେ ଚାଲିପାରୁନାହିଁ ଗୃହ କାର୍ଯ୍ୟ । ଦୁଇ ଦୁଇ ଥର ମୁଲତବୀ ହେଲାଣି ଗୃହ । ଏହାରି ଭିତରେ ବିଧାୟକ ଚକ୍ରମଣି କହଁର ପ୍ରଶ୍ନ ରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଅସର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅଷ୍ଟମ ଶ୍ରେଣୀ ପିଲା ଠିକ୍ ଭାବରେ ହରଣ ଗୁଣନ, ଫେଡ଼ାଣ କରି ପାରୁ ନାହାନ୍ତି । ଏଥିପାଇଁ ଶିକ୍ଷା ବ୍ୟବସ୍ଥା ଦିଗରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ କଣ ପଦକ୍ଷେପ ନେବେ ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଚକ୍ରମଣି କହଁର । ଏହାର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ୬୮.୫% ପିଲା ଫେଡ଼ାଣ ଓ ୪୫.୮% ପିଲା ହରଣ ଜାଣିନାହାଁନ୍ତି । ତେବେ ପ୍ରତି ବର୍ଷ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି । ୨୦୧୪ରେ ୬୩.୪% ଥିବା ବେଳେ ୨୦୨୪ରେ ୬୯.୫% ଛାତ୍ରଛାତ୍ରୀ ଫେଡାଣ ଜାଣି ନ ଥିଲେ । ସେହିପରି ୨୦୧୪ରେ ୩୭.୯% ଜାଣି ନଥିବା ବେଳେ ୨୦୨୪ରେ ୪୫.୮% ହରଣ ଜାଣି ନ ଥିଲେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ଫେଡ଼ାଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି । ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ହରଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟାରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି । ଅନୁରୂପ ଭାବରେ ଯେଉଁମାନେ ଶିକ୍ଷଣ ଅଭିବୃଦ୍ଧି ପାଇଁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଓଡ଼ିଆ, ଇଂରାଜୀ ଓ ଗଣିତ ବିଷୟରେ କାର୍ଯ୍ୟ ପୁସ୍ତିକା ଯୋଗାଇ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷଣ ସାମଗ୍ରୀ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି ଓ ଶିକ୍ଷା ଯୋଜନା ଅନ୍ତର୍ଗତ ବାର୍ଷିକ ୱାର୍କ ପ୍ଲାନ୍ ଓ ବଜେଟ୍ ୨୦୨୫-୨୬ ରେ ଉପସ୍ଥାପାନ କରାଯାଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ ।