
ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟା ଆଉ ଏ ଦୁନିଆରେ ନାହାନ୍ତି ।ସାଧାରଣ ମଣିଷଙ୍କ ଠାରୁ ଆରମ୍ଭ କରି ଜୀବଙ୍କ ପର୍ଯ୍ୟନ୍ତ ସମସ୍ତେ ରତନଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ।ରତନ ଜଣେ ବ୍ୟକ୍ତି ରୂପରେ ଧରାପୃଷ୍ଠାକୁ ଆସିଥିଲେ କିନ୍ତୁ ଏକ ଅନୁଷ୍ଠାନ ହୋଇ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ।ହାଣ୍ଡିଶାଳରୁ ଆରମ୍ଭ କରି ବିମାନ କ୍ଷେତ୍ର ଯାଏଁ ଟାଟା ସବୁଠି ବେଶ ପରିଚିତ ।ପଦ୍ମ ବିଭୂଷଣ ରତନ ଟାଟାଙ୍କ ବିୟୋଗରେ ପୁରୀ ବେଳାଭୂମିରେ ବାଲୁକା ମାଧ୍ୟମରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
ପଦ୍ମ ବିଭୂଷଣ ରତନ ଟାଟାଙ୍କ ବିୟୋଗରେ ଦିନିକିଆ ଛୁଟି ଘୋଷଣା ହୋଇଛି। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ଉଭୟ ରାଜ୍ୟର ସରକାର। ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଦିନିକିଆ ଛୁଟି ଘୋଷଣା ହୋଇଛି। ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ଝାଡ଼ଖଣ୍ଡ ସହ ଟାଟାଙ୍କ ଥିଲା ବିଶେଷ ସମ୍ପର୍କ। ଜାମସେଦପୁରରୁ ଆରମ୍ଭ ହୋଇଥିଲା ଟାଟା ଗ୍ରୁପର ଯାତ୍ରା। ବୁଧବାର ଦିନ ମୃତ୍ୟୁବରଣ କରିଥିବା ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ମହାରାଷ୍ଟ୍ର ସରକାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରିବାକୁ ଘୋଷଣା କରିଛନ୍ତି।