
24 ବର୍ଷ ଶାସନରେ କେବେ କାହାକୁ ଟାର୍ଗେଟ କରିନାହାନ୍ତି ନବୀନ ପଟ୍ଟନାୟକ । କଥା କମ କାମ ବେଶୀ ର ଆଖ୍ୟା ପାଇଥିବା ନବୀନ ସରକାରରେ ଥିବାବେଳେ ବିରୋଧୀଙ୍କର ବି ବେଶ ପ୍ରିୟ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନବୀନଙ୍କ ପ୍ରଂଶସା କରୁଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବସି ବା ସ୍ଥାନରୁ ଉଠି ଆସନ୍ତି ଏଭଳି ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ଏବେ ବିରୋଧୀରେ ଥାଇ ମଧ୍ୟ ସରକାରରେ ନବୀନଙ୍କୁ ନେଇ ବେଶ ଚର୍ଚ୍ଚା ଚାଲେ । କାରଣ ଶାସନ କରିବାରେ ନବୀନଙ୍କ ଡାଞ୍ଚା ଥିଲା ସ୍ବତନ୍ତ୍ର । ଏକଥା ରାଜ୍ୟ ରାଜନୀତିରେ ବେଶ ଆଲୋଚନା ହୁଏ ।
ରାଜନୀତି ବିଶେଷଜ୍ଞମାନେ ମଧ୍ୟ ନବୀନଙ୍କ ବିଚକ୍ଷଣ ଶାସନ ଶୈଳୀକୁ ପ୍ରଂଶସା କରନ୍ତି । ଇଂରାଜୀରେ କଥା କହୁଥିବା ନବୀନ ପ୍ରତିଟି ଓଡିଆଙ୍କ ହୃଦୟରେ ଅଛନ୍ତି ଏହା ସମସ୍ତେ ଅନୁଭବ କରିଛନ୍ତି । ଆଜି ବି ପାନ ଦୋକାନରେ , ରାସ୍ତାଘାଟରେ ଏହି ଗୀତ ବାଜେ ହେ ନବୀନ ବାବୁ ଆମେ ତମ ଫ୍ୟାନ୍ । ଆଉ ଏହା ହିଁ ନବୀନଙ୍କ ପ୍ରତି ଓଡିଶାବାସୀଙ୍କ ଭଲପାଇବାର ପ୍ରମାଣ ଦେଉଛି । ତେବେ ମାତ୍ର ଶହେ ଦିନ ହେବ ରାଜ୍ୟରେ ସରକାର ଗଢିଛି ବିଜେପି । ଆଉ ଶହେ ଦିନ ଭିତରେ ଶହେ ଥର ବିରୋଧୀଙ୍କୁ ଟାର୍ଗେଟ କଲେଣିନ ରାଜ୍ୟ ସରକାର ।
ନିକଟରେ ଯାଜପୁର ବଡଚଣାରେ ଆୟୋଜିତ ବିଜେପି ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମରେ ବିଜେଡିକୁ ଜୋରଦାର୍ ଆକ୍ରମଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୪ ବର୍ଷ ଧରି ଲୁଟ୍ କରିଚାଲିଥିଲା ବିଜେଡି । ବିକାଶ ନାଁରେ ବିନାଶ ଚଳାଇଥିଲା । ୨୪ ବର୍ଷ ଭିତରେ କି ବିକାଶ ହୋଇଛି, ତାହା ଆମେ ସମସ୍ତେ ଦେଖିଛି । ଯାଜପୁରର ନଗଡ଼ା ଅପପୃଷ୍ଟି କଥା ରାଜ୍ୟ ନୁହେଁ ପୁରା ଦେଶରେ ଚର୍ଚ୍ଚାରେ ଥିଲା । ଖାଇବାକୁ ନପାଇ ପ୍ରାୟ ୧୫ ଶିଶୁଙ୍କ ଜୀବନ ଯାଇଥିଲା । ତେବେ ରାଜ୍ୟରେ ଯଦି ଏତେ ସମସ୍ୟା ରହିଛି ସରକାର ସମାଧାନ କରନ୍ତୁ । ବିରୋଧୀଙ୍କୁ ଟାର୍ଗେଟ କରିବାର ଉଦ୍ଦେଶ୍ୟ କଣ ରହିଛି ବୋଲି ପ୍ରଶ୍ନ ଉଠିଛି । ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନିଜର ଗୁରୁତ୍ବ ହରାଇବେ ବୋଲି କହିଛନ୍ତି ରାଜନୀତି ବିଶେଷଜ୍ଞମାନେ । ତେବେ ଟାର୍ଗେଟ କରିବା ପରିବର୍ତ୍ତେ ମୋହନ ସରକାର କାମରେ କରି ଦେଖାନ୍ତୁ ବୋଲି କହିଛନ୍ତି ଲୋକେ।