ଖାଉଟିଙ୍କୁ କଲବଲ କଲାଣି ପରିବା ଦର ।ବଜାରରରେ ସବୁ ପରିବା ଦର ଆକାଶ ଛୁଆଁ ।ଆଳୁ ପିଆଜ ଦର ତ ଖସିବାର ନାଁ ଧରୁନି ବରଂ ହୁ ହୁ ହୋଇ ବଢ଼ିବାରେ ଲାଗିଛି ।ଏବେ ପ୍ରାୟ ସବୁ ପରିବା କିଲୋ ପିଛା ୬୦ରୁ ୭୦ ଟଙ୍କା ଉପରେ ବିକ୍ରି ହେଉଛି । ଖାଉଟିଙ୍କ ଚିନ୍ତା ବଢି ଗଲାଣି ।ପରିବା ଦର ବୃଦ୍ଧି ଖାଉଟିଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି ।ଅଧିକାଂଶ ପରିବାର ଦର କିଲୋ ପିଛା ଦୁଇରୁ ତିନି ଗୁଣ ବୃଦ୍ଧି ପାଇଛି।
ଆଳୁ କିଲୋ ୩୫ଟଙ୍କାରୁ ତଳକୁ ଖସୁନଥିବା ବେଳେ ପିଆଜ ୭୦ଟଙ୍କାରୁ ତଳକୁ ଆସୁନି।ସେହିଭଳି ବାଇଗଣ ଦୀର୍ଘ ଦିନ ଧରି ୮୦ ଟଙ୍କା ଉପରେ ରହିଛି। ଟମାଟୋ ମଧ୍ୟ ୫୦ ତଳକୁ ଖସୁନି କାଙ୍କଡ଼ କେଜି ୧୦୦, ଭେଣ୍ଡି ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ପୋଟଳ ୮୦ ଟଙ୍କା, କଲରା କେଜି ୮୫, ଝୁଡଙ୍ଗ ୯୦ ଏବଂ ବିନ୍ ୧୮୦ ଟଙ୍କାରେ ପହଞ୍ଚିଛି। ଶିମଲା ଲଙ୍କା ୧୯୦ରୁ ୨୦୦ ଟଙ୍କା, ଗାଜର ୧୨୦ ଟଙ୍କା ରହିଛି।ବ୍ୟବସାୟୀମାନେ କହୁଛନ୍ତି ଯେ ରାଜ୍ୟରେ ଶୀତଦିନିଆ ଚାଷ ଭଲ ହେଲାନାହିଁ। ପରବର୍ତ୍ତୀ ସମୟରେ ବର୍ଷା ଦିନିଆ ଫସଲର ସ୍ଥିତି ମଧ୍ୟ ଏତେ ଭଲ ନାହିଁ।
ତେଣୁ ରାଜ୍ୟ ଭିତରର ଉତ୍ପାଦିତ ପନିପରିବା ବଡ଼ ବଜାରକୁ ଆସିପାରିଲା ନାହିଁ। କେବଳ ଗ୍ରାମାଞ୍ଚଳ ମାର୍କେଟ୍ରେ ଅଳ୍ପ ପରିମାଣରେ ବିକ୍ରି ହେଲା। ସହରାଞ୍ଚଳ ଗୁଡ଼ିକରେ ପନିପରିବା ପାଇଁ ବିଶେଷକରି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ୁଛି। ତେଣୁ ଦର ନିୟନ୍ତ୍ରଣ ଭିତରେ ରହୁନାହିଁ।
ସେଠିକାର ମାର୍କେଟରେ ଯାହା ଦରଦାମ୍ ରହୁଛି, ଏଠି ପରିବହନ ଓ ପରିବହନଜନିତ କ୍ଷୟକ୍ଷତି ମିଶିଲେ ଦର ଆକାଶଛୁଆଁ ହୋଇଯାଉଛି।ଏହି ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇବା ସହ ଦର ବୃଦ୍ଧି ଯୋଗୁଁ ଏହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି ।ପରିବା ଦର ବୃଦ୍ଧି ଯୋଗୁଁ ଖାଉଟି ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ।