
ନକଲି ଡାକ୍ତରଙ୍କ ଅସଲି ଚେହେରା ନକଲି ଡାକ୍ତର ସାଜି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ଶୁଭ୍ରଜିତ ପଣ୍ଡାକୁ ପୋଲିସ ଗିରଫ କରିଛି । +୨ ପାଠ ପଢ଼ି ମେଡିସିନ୍ ରିପ୍ରେଜେନଟେଟିଭଙ୍କ ସହ ମିଶି କରୁଥିଲେ ଚିକିତ୍ସା। ସାନଖେମୁଣ୍ଡି ଡେଙ୍ଗାଉସ୍ତର ଏକ କ୍ଲିନିକରୁ ଏହି ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାକୁ ପୋଲିସ ଗିରଫ କରିଛି । କଟକ ରାଣୀହାଟରେ ମଧ୍ୟ ସେ କ୍ଲିନିକ କରି ରୋଗୀଙ୍କ ଚିକିତ୍ସା କରୁଥିଲେ। ଶୁଭ୍ରଜିତଙ୍କ କଟକ ସ୍ଥିତ ଭଡ଼ା ଘରେ ମଧ୍ୟ ପୋଲିସ୍ ଖୋଳତାଡ଼ କରିଛି। ସେ ନିଜକୁ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍ସର ଡାକ୍ତର କହି ରୋଗୀଙ୍କ ଚିକିତ୍ସା କରୁଥିଲେ। ପୂର୍ବରୁ ମଧ୍ୟ ଏହି ନକଲି ଡାକ୍ତରଙ୍କୁ ତେଲେଙ୍ଗାନା ପୋଲିସ ୨୦୨୦ ରେ ଗିରଫ କରିଥିଲା। ସେତେବେଳେ ଶୁଭ୍ରଜିତ ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି କହିବା ସହ ସେଠାରେ ଏକ ଡାକ୍ତର ସମ୍ମିଳନୀରେ ଯୋଗ ଦେଇଥିଲେ। ସୂଚନା ଅନୁସାରେ, ଗିରଫ ନକଲି ଡାକ୍ତର ଶୁଭ୍ରଜିତଙ୍କ ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁରେ। ସେ କେବଳ +୨ ଯାଏଁ ପାଠ ପଢ଼ିଛନ୍ତି । ଟଙ୍କା ଲୋଭରେ ସେ ଏପରି ନୃଶଂସ କାର୍ଯ୍ୟ କରି ଅନେକ ଲୋକଙ୍କ ଜୀବନ ସହ ଖେଳିଛନ୍ତି। ଜଣେ ରୋଗୀଙ୍କୁ ଦେଖିବା ପାଇଁ ସେ ୩୦୦ ଟଙ୍କା ନେଉଥିଲେ। ଏହି ନକଲି ଡାକ୍ତରଙ୍କ ପାଖେ ଚିକିତ୍ସା କରି ଜଣେ ବ୍ୟକ୍ତିଙ୍କ ବଡ଼ ମା’ଙ୍କ ଦେହ ଅସୁସ୍ଥ ହେବାରୁ ସେ ସନ୍ଦେହ କରି ଅଭିଯୋଗ କରିଥିଲେ। ଏହା ପରେ ପୋଲିସ୍ ଏହି ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି।