
ଟ୍ରକ୍ ସହିତ କାରର ଧକ୍କା: ଚାଲିଗଲା ୬ ଜୀବନ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ସାନୋଦା ପୋଲିସ ଷ୍ଟେସନ ନିକଟରେ ଘଟିଛି ଏପରି ଏକ ଦୁର୍ଘଟଣା । ମଧ୍ୟପ୍ରଦେଶର ସାଗର ଦାମୋହ ରୋଡରେ ଏକ ଟ୍ରକ ଏବଂ କାର ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ କାରରେ ଥିବା ୭ ଜଣ ଯୁବକଙ୍କ ମଧ୍ୟରୁ ୫ଜଣ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏଥିସହ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଆହତ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ଆଉ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ଯୁବକଙ୍କର ଏବେବି ଚିକିତ୍ସା ଚାଲିଛି। ସୂଚନା ଅନୁଯାୟୀ ଯାହା ଜଣା ପଡ଼ିଛି ଯେ ଧକ୍କା ଏତେ ଭୟଙ୍କର ଥିଲା ଯେ ଟ୍ରକଟି ରାସ୍ତାରୁ ଖସିପଡିଥିବା ବେଳେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। କାରଟି ସାଗରରୁ ଦାମୋହ ଅଭିମୁଖେ ଯାଉଥିବା ବେଳେ ଟ୍ରକ ଗଡାକୋଟା ଠାରୁ ଆସୁଥିଲା। ଏହି ସମୟରେ ଟ୍ରକ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସୂଚନା ପାଇବା ପରେ ସାନୋଡା ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ସହ ଦୁର୍ଘଟଣାର କାରଣ ଜାଣିବା ପାଇଁ ଚେଷ୍ଟା କରିଥିଲା । ଏହା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରଟିକୁ ମଧ୍ୟ ଚିହ୍ନଟ କରାଯାଇଛି।