
ଛାତ୍ର ସଂଗଠନ ଆନ୍ଦୋଳନରେ ଦୋହଲିଲା କୋଲକାତା ସହର । ପଶ୍ଚିମବଙ୍ଗ ରେ ମମତା ସରକାରଙ୍କୁ ବିରୋଧ କରି କୋଲକାତା ଛାତ୍ର ସଂଗଠନ ‘ନବନ୍ନା ଅଭିଯାନ’ର ଡାକରା ଦେଇଛନ୍ତି । ଆରଜି କର ମେଡିକାଲ କଲେଜରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ହାଓ୍ବଡା ସ୍ଥିତ ରାଜ୍ୟ ସଚିବାଳୟ ନବନ୍ନା ଭବନ ଘେରାଉକରିଛନ୍ତି ପଶ୍ଚିମବଙ୍ଗ ଛାତ୍ର ସମାଜ । ସେପଟେ ଏହାକୁ ଦୃଢ ସମର୍ଥନ ଜଣାଇଛି ବିଜେପି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଇସ୍ତଫା ଦାବିରେ ଛାତ୍ର ସଂଗଠନ ଏହି ଆନ୍ଦୋଳନକୁ ଓଲ୍ହାଇଛି । କୋଲକାତା ଲଜ୍ଜାକୁ ସରକାର ଯେଉଁଭଳି ଭାବେ ପରିଚାଳନା କରିଛନ୍ତି ତାହାକୁ ଦୃଢ ବିରୋଧ କରିଛି ସଂଗଠନ ।
ଏହି ଘଟଣା କୌଣସି ରାଜନୀତି ନୁହେଁ ବୋଲି କହିଥିଲେ ଛାତ୍ରନେତାମାନେ । ଆନ୍ଦୋଳନରେ ସେମାନେ ମୁଖ୍ୟତ ତିନୋଟି ଦାବି କରିଛନ୍ତି । ଅଭୟାଙ୍କୁ ନ୍ୟାୟ, ଅପରାଧିକୁ ମୃତ୍ୟୁ ଦଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଇସ୍ତଫା । ଅନ୍ୟପଟେ ବିରୋଧୀମାନେ ରାଜ୍ୟରେ ଅଶାନ୍ତି ଖେଳାଇବା ପାଇଁ ଏପରି ଷଡଯନ୍ତ୍ର କରୁଛନ୍ତି ବୋଲି କହିଛି ଟିଏମସି । ଛାତ୍ରଙ୍କ ‘ନବନ୍ନା ଅଭିଯାନ’କୁ ଦୃଷ୍ଟିରେ ରଖି ସହରରେ ୬ ହଜାର ପୋଲିସ ନିୟୋଜିତ କରାଯାଇଛି । ପୂରା ୧୯ଟି ସ୍ଥାନରେ ବ୍ୟାରିକେଡ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଏଥିସହିତ ସହରରେ ଗୁରୁତ୍ବପୂର୍ଣ୍ଣ ଜାଗାମାନଙ୍କରେ ଲୁହାର ବ୍ୟାରିକେଡ ଲଗାଯାଇଛି । ରାଜ୍ୟ ସଚିବାଳୟ ‘ନବନ୍ନା ଭବନ’କୁ ବାହାରୁ କୋଲକାତା ପୋଲିସ୍ ଓ ହାଓ୍ବଡା ପୋଲିସଙ୍କ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଘେରି ରହିଛି । ପୋଲିସ୍ ଅଧିକାରୀମାନଙ୍କୁ ଅଧିକ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ସିସିଟିଭି ସୁରକ୍ଷା ଓ ଓ୍ବାଟର କାନନ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଛାତ୍ରଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି କୋଲକାତା ହାଓ୍ବଡା ବ୍ରିଜକୁ ପୂରା ସିଲ୍ କରାଯାଇ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।