ଭୁବନେଶ୍ୱର: ସହପାଠୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜେଲ ଦଣ୍ଡ ଭୋଗିଥିବା ବହୁ ଚର୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କର ପରଲୋକ ହୋଇଯାଇଛି | ସେ କ୍ୟାନ୍ସରରେ ଆକ୍ରାନ୍ତ ହୋଇ କିଛିଦିନ ହେଲା ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ | ହେଲେ ସେଠାରେ ତାଙ୍କର ଗତ ରାତିରେ ମୃତ୍ୟୁ ଘଟିଛି | ବିତ୍ତିହୋତ୍ର ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ |
୨୦୦୬ ରେ ବିତ୍ତିହୋତ୍ରଙ୍କୁ ନେଇ ଖୁବ ଚର୍ଚା ଜୋର ଧରିଥିଲା | ସେ ରାଜସ୍ଥାନ ବୁଲିବାକୁ ଯାଇଥିବା ବେଳେ ତାଙ୍କର ଜଣେ ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା | ରାଜସ୍ଥାନ ପୋଲିସ ତାଙ୍କୁ ଗିରଫ କରିଥିଲା | ମାତ୍ର ୯ ଦିନ ପରେ ମାମଲାର ବିଚାର କରି କୋର୍ଟ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଜରିମାନା କରିଥିଲେ |
ହେଲେ ଜେଲ ଯିବାର କିଛି ଦିନ ପରେ ପାରୋଲରେ ଆସି ଆଉ ଜେଲକୁ ଫେରି ନଥିଲେ ବିତ୍ତିହୋତ୍ର | ପରେ ସେ ନିଜ ନାଁ ବଦଳାଇ କେରଳର ଏକ ବ୍ୟାଙ୍କରେ ଚାକିର କରିଥିଲେ | ହେଲେ ୨୦୧୩ରେ ସେ ପୁଣି ଗିରଫ ହୋଇଥିଲେ | ହେଲେ ଜେଲରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା | ସେ କ୍ୟାନ୍ସର ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା | ତେଣୁ ସେ ସୁପ୍ରିମ କୋର୍ଟରେ ମୁକ୍ତି ଆବେଦନ କରିଥିଲେ | ହେଲେ ଏହା ଖାରଜ ହୋଇଯାଇଥିଲା | ପରେ ଦେହ ବେଶୀ ଖରାପ ହେବାରୁ ଜେଲରୁ ବାହାରି ଚିକିତ୍ସିତ ହେଉଥିଲେ | ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି |