
ଭୁବନେଶ୍ୱର: ପୋଲଭରମ ଅସ୍ତ୍ର ସଜାଡୁଛି ବିଜେଡି । ଏହି ଅସ୍ତ୍ରରେ ବିଜେପିକୁ କରିବ ଟାର୍ଗେଟ | ପୋଲଭରମକୁ ନେଇ ଓଡ଼ିଶାର ସ୍ୱାର୍ଥ ପାଇଁ ସ୍ୱରକୁ ଶାଣିତ କରିବ ବିଜେଡି । ରାଜ୍ୟ ସରକାରଙ୍କ ଉପରେ ଭାରି ପଡିପାରେ ବିଜେଡିର ଏଇ ନୂଆ ରଣନୀତି । କେନ୍ଦ୍ର ବଜେଟରେ ପୋଲାଭରମକୁ ଗ୍ରୀନ ସିଗ୍ନାଲ ମିଳିବା ପରେ ଏହାକୁ ଟାର୍ଗେଟ କରିଛି ବିଜେଡି | ବିଜେଡ଼ି ସୁପ୍ରିମୋ ନିଜେ ଏମିତି ଗୁରୁମନ୍ତ୍ର ଦେଇ ନେତାଙ୍କୁ ତାଗିଦ କରିଛନ୍ତି | ପୋଲଭରମ ସ୍ଥିତି କୁ ପରଖିବାକୁ ନେତାଙ୍କୁ ନିର୍ଦେଶ ଦେଇଛନ୍ତି ।
ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପ୍ରତିନିଧି ଦଳ ପୋଲାଭରମମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ । ଖାଲି ଏତିକି ନୁହେଁ ପ୍ରକୃତରେ ମାଲକାନଗିରି ଅଧିବାସୀ ନିଜ ସ୍ୱାର୍ଥ ପାଇଁ କଣ ଚାହୁଁଛନ୍ତି ତା ବିଷୟରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମଧ୍ୟ କରିବେ। ଆନ୍ଧ୍ରର ଏହି ପ୍ରକଳ୍ପ ହେଲେ ମଲକାନଗିରିର ଅନେକ ଚାଷଜମି ,ଜଙ୍ଗଲ ନଷ୍ଟ ହେବା ସହ ଅନେକ ଲୋକ ବାସହରା ହେବେ । ତଥାପି ଏଥର ବଜେଟରେ ଆନ୍ଧ୍ରର ପୋଲଭରମ ପାଇଁ ସିଧାସଳଖ କେନ୍ଦ୍ର ୧୫ ହଜାର କୋଟି ଟଙ୍କା ମଂଜୁର କରିଛି ।
ଆନ୍ଧ୍ର ପାଇଁ କେନ୍ଦ୍ରର ଏତେ ଭଲପାଇବା ? ଅଥଚ ଓଡ଼ିଶାର ପ୍ରଭୂତ କ୍ଷତି ଜାଣି ମଧ୍ୟ ନୀରବ କାହିଁକି ? ଆଗରୁ ବିରୋଧୀ ଆସନରେ ଥିବାବେଳେ ପୋଲଭରମକୁ ବିରୋଧ କରୁଥିଲା ବିଜେପି | ହେଲେ କ୍ଷମତାରେ ବସିବା ପରେ ମୁହଁ ଖୋଲୁନାହାନ୍ତି ରାଜ୍ୟ ସରକାର । ଏହାକୁ ନେଇ ଚିନ୍ତା ବଢାଇଛି ମାଲକାନଗିରି ଅଂଚଳବାସୀଙ୍କର। ତେବେ ଏହାର ଅନୁଧ୍ୟାନ ପାଇଁ ରାଜ୍ୟରେ ବିରୋଧୀମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିଥିଲା ବିଜେଡି । ସେପଟେ ନୂଆ ସରକାର ଗଠନ ପରେ ପ୍ରକଳ୍ପକୁ ନେଇ ମୁହଁ ଖୋଲିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଥିଲେ ଏନେଇ ଦ୍ୱିପାକ୍ଷିକ ଆଲୋଚନା ହେବ | ଓଡ଼ିଶାର ସ୍ୱାର୍ଥରେ କିଭଳି ହାନି ନ ପହଂଚିବ ସେନେଇ ଆଲୋଚନା କରାଯାଇ କାମ ହେବ ।
ଆନ୍ଧ୍ରର ଏଇ ପ୍ରକଳ୍ପକୁ ଖାଲି ଓଡ଼ିଶା ନୁହେଁ, ଛତିଶଗଡ଼ ଓ ତେଲେଙ୍ଗାନା ମଧ୍ୟ ବିରୋଧ କରୁଛନ୍ତି । ପୋଲଭରମ ପ୍ରସଙ୍ଗରେ ବିଜେପିର ନିରବତାକୁ ନେଇ ବର୍ଷିଛନ୍ତି ପ୍ରଦୀପ ମାଝୀ | ସେ କହିଛନ୍ତି, ବିଜେପି କେନ୍ଦ୍ର ଓ ରାଜ୍ୟରେ ସରକାର କରିବା ପରେ ପ୍ରଥମ ପ୍ରହାର ଦେଇଛି। ସେହିପରି ବିଜେଡି ସଂସଦ ଓ ବିଧାନସଭାରେ ଦୃଢତାର ସହ ଲଢେଇ କରି ବିରୋଧ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । କଳବଳ କୈଶଳ ଲଗାଇ ଏହାର ବିରୋଧ କରିବାକୁ ବାହାରିଥିବା ବିଜେଡ଼ି ପାଇଁ ଏହ ବଡ଼ ଚ୍ୟାଲେଂଜ୍ ହୋଇପାରେ । ସେପଟେ କେମିତି ଏହାକୁ ଶୀଘ୍ର ସଂପୂର୍ଣ କରାଯିବ ସେନେଇ ଆନ୍ଧ୍ର ପ୍ରସ୍ତୁତି ଆରମ୍ଭ କଲାଣି | ଏଥିରେ କେନ୍ଦ୍ର ମଧ୍ୟ ସଂପୂର୍ଣ ସହଯୋଗ କରୁଛି । ପୋଲାଭରମ୍ କୁ ନେଇ ରାଜନିତୀ ଥମିବାର ନା ନେଉନି । ଓଡ଼ିଶାର ସ୍ଵାର୍ଥ ପାଇଁ ବିଜେଡିର ଲଢେଇ କେତେଦୂର ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ।