
ରାଜନୀତିର ଦ୍ରୋଣାଚାର୍ଯ୍ୟ ଅଟଳ ବିହାରୀ ବାଜପେୟୀଙ୍କୁ ଆଜିବି ମନେପକାନ୍ତି ରାଜନୀତି ପଣ୍ଡିତ ଓ ରାଜନେତା ମାନେ । ବିଚକ୍ଷଣ ବୁଦ୍ଧି, ସ୍ଥିର ନିଷ୍ପତ୍ତି, ଜଟିଳ ସମସ୍ୟାର ସରଳ ସମାଧାନ ବାହାର କରିବାରେ ବାଜପେୟୀ ଥିଲେ ଅଦିତୀୟ । ଏହି ବୀର ଯୋଦ୍ଧାଙ୍କୁ କେବଳ ରାଜନୀତି ନୁହେଁ ତାଙ୍କ ପ୍ରେମ ପାଇଁ ମଧ୍ୟ ଗୁରୁ ବୋଲି ଗ୍ରହଣ କରନ୍ତି ଅନେକ ଲୋକ । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ନିଜ ପ୍ରେମ ପାଇଁ ଅବିବାହିତ ରହିଗଲେ । କେବଳ ଅବିବାହିତ ରହିଗଲେ ତାହା ନୁହେଁ ବରଂ ପ୍ରେମିକାଙ୍କ କନ୍ୟାକୁ ନିଜ ପୋଷ୍ୟା ଝିଅ ଭାବେ ମଧ୍ୟ ଗ୍ରହଣ କଲେ । ଗ୍ବାଲିୟରରେ ପଢୁଥିବା ବେଳେ ସହପାଠିନୀ ବାନ୍ଧବୀ ରାଜକୁମାରୀ କୌଲଙ୍କ ସହ ବାଜପେୟୀଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା। ତେବେ ଏହି ପ୍ରେମ ସଂପର୍କକୁ ନେଇ ବିନୟ ସୀତାପତିଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଯୁଗଳବନ୍ଦୀ-ଦି ବିଜେପି ବିଫୋର ମୋଦୀ’ ରେ ଅନେକ ତଥ୍ୟ ଦିଆଯାଇଛି । 1941 ମସିହାରେ ବାଜପେୟୀ ଓ ରାଜକୁମାରୀ ଗ୍ବାଲିୟରର ଭିକ୍ଟୋରିଆ କଲେଜରେ ଏକାଠି ପାଠ ପଢ଼ୁଥିଲେ।

ସେହି ସମୟରେ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଥିଲା । ବାଜପେୟୀ ଓ ରାଜକୁମାରୀଙ୍କ ମଧ୍ୟରେ ପ୍ରେମ ସଂପର୍କର ମୁଖ୍ୟ ଆକର୍ଷଣ ଥିଲା ବୌଦ୍ଧିକ ଜ୍ଞାନ। ରାଜନୈତିକ ପ୍ରସଙ୍ଗକୁ ନେଇ ସେମାନଙ୍କ ମଧ୍ୟରେ ଅନେକ ସମୟରେ ବିତର୍କ ହେଉଥିଲା। ସହରରେ ବଢ଼ିଥିବା ରାଜକୁମାରୀ ଇଂରାଜୀ ଭାଷାରେ ନରମ ସ୍ବରରେ ଅନର୍ଗଳ କଥା ହୋଇପାରୁଥିବା ବେଳେ ବାଜପେୟୀ ତାଙ୍କର ସ୍ବାଭାବିକ ଗୁରୁଗମ୍ଭୀର ସ୍ବରରେ କଥା ହେଉଥିଲେ। କିନ୍ତୁ ଏହି ପ୍ରେମ ସଂପର୍କ ଅଧୁରା ରହିଯାଇଥିଲା । ଦୁହେଁ ନିଜର ପ୍ରେମକୁ କୌଣସି ପଚିଚୟ ଦେଇପାରିନଥିଲେ । କାରଣ ରାଜକୁମାରୀ ଏକ ଧନୀ ପରିବାରର ଥିବାବେଳେ ଅଟଳ ମଧ୍ୟବିତ୍ତ ପରିବାରର ଥିଲେ । ଅଟଳଙ୍କୁ ବିବାହ ପାଇଁ ଇଚ୍ଛା କରିଥିଲେ ରାଜକୁମାରୀ । କିନ୍ତୁ ଏଥିରେ ରାଜି ନଥିଲେ ରାଜକୁମାରୀଙ୍କ ପିତା । ଏହାପରେ ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ଯାଇଥିଲେ । ଦୁହିଁଙ୍କ ଭିତରେ ପ୍ରାୟ 16 ବର୍ଷ ପର୍ଯ୍ୟନ୍ତ ଦେଖାସାକ୍ଷାତ ତ ଦୂରର କଥା କଥାବାର୍ତ୍ତା ବି ହୋଇ ନଥିଲା। ଏମିତିକି ରାଜକୁମାରୀ ବ୍ରିଜନାଥଙ୍କୁ ବିବାହ କରିଥିବା କଥା ମଧ୍ୟ ବାଜପେୟୀ ଜାଣି ପାରିନଥିଲେ। କିନ୍ତୁ ଏଇଠି ପଡିନଥିଲା ପ୍ରେମ ସଂପର୍କରେ ପୂର୍ଣ୍ଣଚ୍ଛେଦ ।

ପୁଣି ଥରେ ଦୀର୍ଘ 16 ବର୍ଷର ବ୍ୟବଧାନ ପରେ ରାମଜସ୍ କଲେଜରେ ଦେଖା ହୋଇଥିଲେ ଦୁହେଁ । କାରଣ ବାଜପେୟୀ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଦିଲ୍ଲୀର ରାମଜସ୍ କଲେଜକୁ ଅତିଥି ଭାବେ ନିମନ୍ତ୍ରଣ ଦିଆଯାଇଥିଲା । ଆଉ ସେହି କଲେଜର ପ୍ରେଫେସର ଥିଲେ ରାଜକୁମାରୀଙ୍କ ସ୍ବାମୀ ପ୍ରଫେସର ବ୍ରିଜନାଥ କୌଲ୍ । ତେବେ ଦୁହିଁଙ୍କର ବାକି ଥିବା ଅଧୁରା ପ୍ରେମ ପୁଣି ଆରମ୍ଭ ହୋଇଥିଲା । ଏଠାରେ ଦେଖାସାକ୍ଷାତ ସେମାନଙ୍କ ପୁରୁଣା ସଂପର୍କକୁ ଆହୁରି ତାଜା କରିଦେଇଥିଲା। ସେଦିନର ସାକ୍ଷାତ ପରେ ବାଜପେୟୀ କୌଲ୍ ଦମ୍ପତିଙ୍କ ଘରକୁ ନିୟମିତ ଯିବା ଆସିବା କରିବା ଆରମ୍ଭ କରିଥିଲେ। ଏହାରି ଭିତରେ ରାଜକୁମାରୀଙ୍କ ସନ୍ତାନଙ୍କ ପ୍ରତି ବାଜପେୟୀଙ୍କ ଭଲପାଇବା ବଢ଼ିବାରେ ଲାଗିଥିଲା। ବିଶେଷକରି ସାନ ଝିଅ ନମିତାଙ୍କ ପ୍ରତି ଥିଲା ଅଧିକ ଶ୍ରଦ୍ଧା । ନମିତାଙ୍କୁ ପରବର୍ତ୍ତୀ ସମୟରେ ଅଟଳ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ। ତେବେ 2014 ମସିହାରେ ପ୍ରେମିକା ରାଜକୁମାରୀଙ୍କ ଦେହାନ୍ତର ଠିକ 4 ବର୍ଷ ପରେ 2018ରେ ଅଟଳ ବିହାରୀ ବାଜପେୟୀଙ୍କର ବିୟୋଗ ହୋଇଥିଲା । ଶୁଣିବାକୁ ଭଲ ଲାଗିଲେବି ସହଜ ନଥିଲା ବାଜପେୟୀଙ୍କ ଜୀବନଯାତ୍ରା ।