
ନୂଆଦିଲ୍ଲୀ: ତିନି ଦିନିଆ ଫ୍ରାନ୍ସ ଓ ୟୁଏଇ ଗସ୍ତରେ ଆଜି ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଲି ଫ୍ରାନ୍ସ ଜାତୀୟ ଦିବସରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେବେ ମୋଦି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ପ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନ କରିବାର କାର୍ଯ୍ୟକ୍ରମ ରହିଛି ।ତେବେ ଏହି ଆଲୋଚନାର ଫୋକସରେ ରହିବ ଭାରତ-ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି । ନୌସେନା ପାଇଁ ୨୬ଟି ରାଫେଲ୍ ବିମାନ ଏବଂ ୩ଟି ସ୍କରପିନ୍ କ୍ଲାସ୍ ବୁଡ଼ାଜାହାଜ ପାଇଁ ପ୍ରାନ୍ସ ସହ ଚୁକ୍ତି କରିପାରେ ଭାରତ । ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଦିଲ୍ଲୀ ବିମାନ ବନ୍ଦରରୁ ପ୍ୟାରିସ ଅଭିମୁଖେ ଯାତ୍ରା କରିଛନ୍ତି । ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ଷଷ୍ଠ ଫ୍ରାନ୍ସ ଗସ୍ତ । ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି, ଯେଉଁଠାରେ ସେ ଜୁଲାଇ 14ରେ ହେବା ପାଇଁ ଥିବା ବାଷ୍ଟାଇଲ ଡେ’ପରେଡ୍ ଉତ୍ସବରେ ଯୋଗଦେବେ । ଭାରତୀୟ ସେନାର ସମସ୍ତ ତିନୋଟି କଣ୍ଟିଜେଣ୍ଟ ମଧ୍ୟ ଜୁଲାଇ 14ରେ ଫ୍ରାନ୍ସର ଜାତୀୟ ଦିବସ ବାଷ୍ଟାଇଲ ଡେ ପ୍ୟାରେଡରେ ଅଂଶଗ୍ରହଣ କରିବେ। ଏହାର ପ୍ରତିନିଧିତ୍ୱ କରିବ ସ୍ଥଳ ସେନାର ପଞ୍ଜାବ ରେଜିମେଣ୍ଟ । ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ଭେଟିବା ସହିତ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରାନ୍ସରେ ପହଞ୍ଚିବା ପରେ ଅଭ୍ୟାସ ଜାରି ରଖିଛନ୍ତି ୨୬୯ ଜଣିଆ ଟ୍ପୁପ୍ । ତେବେ ଫ୍ଲାଇପୋଷ୍ଟରେ ଭାରତରୁ ତିନିଟି ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ସାମିଲ ହେବା ନେଇ ସୂଚନା ରହିଛି ।
ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଜୁଲାଇ 15 ରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇରେ ପହଞ୍ଚିବେ। ସେଠାରେ ସେ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦଙ୍କୁ ଭେଟିବେ । ସେଠାରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ଏବଂ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ସୂଚନା ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ତିନିଦିନିଆ ଗସ୍ତ ସଫଳ ହେବା ସହ ଭାରତର ଉନ୍ନତି ନିମନ୍ତେ କିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା ରଖା ଯାଉଛି।
