କଟକ: କଟକ ଜିଲ୍ଲା ନିଆଳିରେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର। ବିଧାନସଭା ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ଉଭୟ ଏମଏଲଏ ଓ ଏମପି ବିଜେଡିରୁ ହେବା ଦରକାର। ଅନ୍ଯ ଦଳର ଏମପି ହେଲେ ବିକାଶ କାମରେ ବାଧା ଦେବେ। ଚାଲିଥିବା ବିକାଶ କାମକୁ ଅଟକାଇ ଦେବେ।
ସେହିପରି ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ସେମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଉଜ୍ୱଳ ଭବିଷ୍ୟତ ଲାଗି ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି । କିନ୍ତୁ ବିରୋଧୀ ଦଳ ମିଛ କଥା କହି, ଅପପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଆପଣମାନେ ତା’ର ଉଚିତ ଜବାବ ଦିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ୭୦ ହଜାର ମାର୍ଜିନରେ ଜିତାନ୍ତୁ ବୋଲି ଜନତାଙ୍କୁ ଅନୁରୋଧ କରିଛନ୍ତି ପାଣ୍ଡିଆନ ।
ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତେ ଜାଣିଛନ୍ତି ସାରା ଓଡ଼ିଶା ଏକ ସ୍ୱରରେ କହୁଛି ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଥମ ଦସ୍ତଖତରେ ଆପଣମାନଙ୍କର, ୯୦ ପ୍ରତିଶତ ଲୋକଙ୍କର ବିଜୁଳି ବିଲ୍ ଛାଡ଼ କରିବେ । ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି.ଏସ୍.କେ.ୱାଇ କାର୍ଡ ଦେବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ମାନଙ୍କୁ ୬୦ ବର୍ଷ ପରେ ପେନ୍ସନ ଦେବେ, ମା’ମାନଙ୍କ ଅନୁରୋଧକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରକ୍ଷା କରିଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।
ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାମର ତାଲିକା ମନେ ପକାଇ ଦେଇଛନ୍ତି ପାଣ୍ଡିଆନ। ବିନା ସୁଧରେ ୧୫ ଲକ୍ଷ ଟଙ୍କାର ଋଣ, ଲକ୍ଷ୍ମୀ ବସ୍ ରେ ମହିଳାଙ୍କୁ ୫ଟଙ୍କାରେ ଯାତ୍ରା, ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୧୦ ହଜାର ଟଙ୍କା, SDC ରେ ଧର୍ମସ୍ଥଳୀର ବିକାଶ ସହିତ ଆଦିବାସୀଙ୍କ ବିରୋଧରେ ଥିବା ୫୦ ହଜାର ମାମଲା ପ୍ରତ୍ଯାହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ। ଆଦିବାସୀଙ୍କ ବଜେଟକୁ କେନ୍ଦ୍ର ସରକାର ହ୍ରାସ କରିଥିବା ବେଳେ ମୁଖ୍ଯମନ୍ତ୍ରୀ ଏହାକୁ ଅଧିକ ବଢ଼ାଇଛନ୍ତି।