
ସମ୍ବଲପୁର : ବୁର୍ଲା ଭିସୁଟରେ କୁଳପତିଙ୍କ କଡ଼ା ନିର୍ଦ୍ଦେଶ। ଛାତ୍ରଛାତ୍ରୀ ପିନ୍ଧି ପାରିବେ ନାହିଁ ଛୋଟ ପୋଷାକ। ଛାତ୍ରଛାତ୍ରୀଙ୍କ ପାଇଁ ବୁର୍ଲା ଭିସୁଟର କୁଳପତି ଏହି କଡା ନୋଟିସ ଜାରି କରିଛନ୍ତି । ଆଗକୁ ଭିସୁଟର ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ରହିଛି । ସାଂସ୍କୃତିକ କାର୍ଯକ୍ରମରେ ଛୋଟ ପୋଷାକ ପରିଧାନ କରି ବିଶ୍ୱବିଦ୍ୟାଳୟ ପରିସରକୁ ଆସିବା ଉପରେ କଟକଣା ଲଗାଯାଇଛି । ପାରମ୍ପରିକ ପୋଷାକ ପିନ୍ଧି ଆସିବା ପାଇଁ କୁଳପତି ନୋଟିସ ଜାରି କରିଛନ୍ତି।
ଯଦି ଛାତ୍ରଛାତ୍ରୀ ଏହି ନିର୍ଦ୍ଦେଶର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କୁ ଭିସୁଟ ମୁଖ୍ୟ ଫାଟକ ଭିତରକୁ ଛଡା ଯିବନାହିଁ। ଏହାସହ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ଏନେଇ ଭିସୁଟ କୁଳପତି ବଂଶୀଧର ମାଝୀ କହିଛନ୍ତି, ଆଧୁନିକ ହେବା ସହ ଆମେ ନିଜ ସଂସ୍କୃତି ଭୁଲିବା ଉଚିତ ନୁହେଁ । କାରଣ ଭାରତୀୟ ସଂସ୍କୃତି ଖୁବ୍ ମହାନ । ଆମେ ଆମ ବେଶପୋଷାକକୁ ବିଭିନ୍ନ କାର୍ଯ୍ୟକ୍ରମ ତଥା ଉତ୍ସବରେ ପ୍ରୋତ୍ସାହିତ ଓ ପ୍ରସ୍ପୁଟିତ କରିବା ଉଚିତ। ଏହାଦ୍ୱାରା ଆମ ସଂସ୍କୃତିର ପ୍ରଚାର, ପ୍ରସାର ହୋଇ ପାରିବ । ବର୍ତ୍ତମାନ ଏପରି କଟକଣା କେବଳ Techno Cultural ଫେଷ୍ଟିଭାଲ ପାଇଁ ଲାଗୁ କରାଯାଇଛି। ଆଗାମୀ ଦିନରେ ଏହାକୁ ନିୟମିତ ଭାବେ ଲାଗୁ କରାଯିବ କି ପଚରାଯିବାରୁ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇ ନ ଥିବା କହିଛନ୍ତି କୁଳପତି।
ସୂଚନାଯୋଗ୍ୟ, ରାଜ୍ୟ ସାରା ସମଗ୍ର ସ୍କୁଲ, କଲେଜରେ ଡ୍ରେସ୍ କୋଡ ଲାଗୁ ହୋଇଥିବା ବେଳେ ଭିସୁଟରେ ଏବେ ବି ଏହା ଲାଗୁ ହୋଇ ପାରିନି।