ଭୁବନେଶ୍ୱର : ଶେଷରେ ସବୁ ଚର୍ଚ୍ଚା-ଆଲୋଚନାରେ ପୂର୍ଣ୍ଣଛେଦ ପକାଇ ବିଜେପିରେ ଯୋଗ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ l ଗୁରୁବାର ବିଜେପି ରାଜ୍ୟ କାର୍ଯ୍ୟାଳୟ ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ । ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେଡ଼ି। ତେବେ ପ୍ରଶାନ୍ତ ବିଜେପିରୁ କେଉଁ ଆସନରୁ ଲଢ଼ିବେ, ତାହା ସ୍ପଷ୍ଟ ହୋଇନାହିଁ ।
ପ୍ରଶାନ୍ତଙ୍କୁ ଉତ୍ତରୀୟ ସହ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି l ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିବାବେଳେ ପ୍ରଶାନ୍ତଙ୍କ ସହ ଜିଲ୍ଲାପରିଷଦ ସଦସ୍ୟ ତଥା ବିଜେଡିର ବ୍ଲକ ସଭାପତି ଅନାଦି ସାହୁ, ବିଜେଡି ନେତା ଭବାନୀ ଜଗଦ୍ଦେବ ମହାପାତ୍ର, ବିଜେଡି ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ସୌରୀ ସାହୁ, ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶୁଭାଙ୍ଗୀ ଡାକୁଆଙ୍କ ସହ ଅନେକ ବରିଷ୍ଠ ନେତାନେତ୍ରୀ ଯୋଗ ଦେଇଛନ୍ତି l
ତେବେ ବିଜେପିରେ ଯୋଗଦାନ ପରେ ପ୍ରଶାନ୍ତ କହିଛନ୍ତି ଯେ ବିଜେପିରେ ଯୋଗ ଦେଇ ଆଜି ମୁଁ ବହୁତ ଖୁସି | ପ୍ରଶାନ୍ତ କହିଛନ୍ତି ନବୀନ ବାବୁଙ୍କ ପାଇଁ ବହୁତ କାମ କରିଛି, ସିଏ ବି ମୋତେ ବହୁତ ସମ୍ମାନ ଦେଇଛନ୍ତି | କିନ୍ତୁ ଆଜି ନବୀନ ବାବୁ ସେ ଅବସ୍ଥାରେ ନାହାନ୍ତି, ଆମକୁ ସୁରକ୍ଷା ଦେବା ଓ ଓଡିଶା ପାଇଁ କିଛି କାର୍ଯ୍ୟ କରିବା | ନବୀନ ରାଜନୀତି ବ୍ୟବସ୍ଥା ଭିତରୁ ନିବୃତ୍ତ ରହିଯିବା କଥା | ଓଡ଼ିଶାରେ ବି ଡବଲ ଇଂଜିନ ସରକାର ଆସିବାକୁ ଯାଉଛି |
ସୂଚାନୁଯାୟୀ, ଗତବର୍ଷ ମାର୍ଚ୍ଚ ୧୨ ତାରିଖ ଦିନ ବାଣପୁର ବ୍ଲକ୍ରେ ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ଚାଲିଥିଲା । ଏଥିପାଇଁ ବାଣପୁର ବ୍ଲକ୍ ଆଗରେ ଲୋକ ଭିଡ ଲାଗିଥିଲା। ଏହି ସମୟରେ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଭିତରକୁ ଗାଡ଼ି ଚଳାଇ ପଶି ଆସିଥିଲେ। ଫଳରେ ବିଜେପି ସମର୍ଥକଙ୍କ ସମେତ ପୁଲିସ ଅଧିକାରୀ ତଥା କେତେକ ସାଧାରଣ ଲୋକ ମଧ୍ୟ ଗୁରୁତର ହୋଇଥିଲେ। ବାଣପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତେବେ ଏଭଳି ଘଟଣା ପରେ ବିଜେଡି ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ବହିଷ୍କାର କରିଥିଲା ।