
ଚେନ୍ନାଇ : ଆଜି ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ଝଡ ‘ମାଇଚୌଙ୍ଗ’ (Cyclone Michaung) ତାମିଲନାଡୁ ଉପକୂଳ ନିକଟରେ ପହଞ୍ଚିଛି।
ଏହି ଅବଧିରେ ଘଣ୍ଟା ପ୍ରତି 100 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି l ନେଲୋର ଏବଂ ମାସିଲିପାଟନମ୍ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛି। ଘୂର୍ଣ୍ଣିବଳୟ ‘ମାଇଚୋଙ୍ଗ’କୁ ଦୃଷ୍ଟିରେ ରଖି ଡିସେମ୍ବର 4 ରେ ପୁଡୁଚେରୀ, କରାଇକାଲ ଏବଂ ୟାନାମ ଅଞ୍ଚଳରେ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି।
ନ୍ୟୁଜ୍ ଏଜେନ୍ସି ANI ସୂଚନା ଦେଇଛି ଯେ ଘୂର୍ଣ୍ଣିବଳୟ ‘ମାଇଚୋଙ୍ଗ’ ତାମିଲନାଡୁ ଉପକୂଳ ନିକଟରେ ପହଞ୍ଚିବା ପରେ ଚେନ୍ନାଇର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏହା ବ୍ୟତୀତ କାଞ୍ଚିପୁରମରେ ପ୍ରବଳ ବର୍ଷା ହେତୁ ରାସ୍ତାରେ ପାଣି ଜମା ହୋଇ ରହିଥିଲା। ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏଠାରେ ସ୍କୁଲ ଏବଂ କଲେଜ ଛୁଟି ମଧ୍ୟ ଘୋଷଣା କରାଯାଇଛି l
ତାମିଲନାଡୁରେ ସାଇକ୍ଲୋନିକ୍ ଝଡ଼ର ବିପଦକୁ ଦୃଷ୍ଟିରେ ରଖି ଏନଡିଆରଏଫ୍ ଦଳକୁ ସତର୍କ ମୋଡରେ ରଖାଯାଇଛି। ଏଠାରେ ପ୍ରବଳ ବର୍ଷା ହେବା ପରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଟିମ୍ ପେରେଙ୍ଗାଲାଥୁର ନିକଟ ପେରେକାନାରାନାଇ ଏବଂ ତାମ୍ବରାମ ଅଞ୍ଚଳରୁ ପ୍ରାୟ 15 ଜଣଙ୍କୁ ଉଦ୍ଧାର କରିଥିଲେ।
ତାମିଲନାଡୁର ଅନେକ ସ୍ଥାନରେ ବିପଦ ସ୍ତରରୁ ପ୍ରବାହିତ ଜଳକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ବେସିନ ବ୍ରିଜ ଏବଂ ଭାୟାସର ପାଡି ମଧ୍ୟରେ ଥିବା ବ୍ରିଜ ନମ୍ବର 14 ରେ ଯାତାୟାତ ବନ୍ଦ ହୋଇଯାଇଛି। ଡିସେମ୍ବର 4 ରେ ଡକ୍ଟର MGR ଚେନ୍ନାଇ ସେଣ୍ଟ୍ରାଲରୁ ଚାଲୁଥିବା ୬ ଟି ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ତାମିଲନାଡୁ ଏବଂ ପୁଡୁଚେରୀ ପାଇଁ ପ୍ରବଳ ବର୍ଷା, ଝଡ ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି।