
ବାଲେଶ୍ୱର: OSSC ପ୍ରଶ୍ନପତ୍ର ଲିକ ମାମଲାରେ ଆଉ ୮ ଦଲାଲ ଗିରଫ | ଓଡିଶା ର ବିଭିନ୍ନ ଜିଲ୍ଲାରୁ ଆଉ ୮ ଜଣଙ୍କୁ ଗିରଫ କଲା ବାଲେଶ୍ୱର ପୋଲିସ | ୮ ଜଣଙ୍କୁ ଗିରଫ ନେଇ ବାଲେଶ୍ୱର ପୋଲିସ ପକ୍ଷରୁ ସୂଚନା | ପ୍ରଶ୍ନପତ୍ର ଲିକ ମାମଲାରେ ମୋଟ ୨୫ ଜଣଙ୍କୁ ଗିରଫ କଲା ପୋଲିସ |
ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ଗିରଫ ୮ ଜଣଙ୍କୁ ମିଶାଇ ଏଯାବତ୍ ପୋଲିସ ୨୫ ଜଣଙ୍କୁ ବାନ୍ଧିଲାଣି । ମାମଲାର ମାଷ୍ଟରମାଇଣ୍ଡକୁ ପୂର୍ବରୁ ପୋଲିସ ଗିରଫ କରିଥିଲା । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର ପୋଲିସ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର ସହ ପଶ୍ଚିମବଙ୍ଗର ଦୀଘାରୁ ୯ ଜଣଙ୍କୁ ଗିରଫ କରିଥିଲା । ଜୁଲାଇ ୨୭ରେ ଆଉ ୮ ଜଣଙ୍କୁ ହେପାଜତକୁ ନେଇଥିଲା ପୋଲିସ ।
ବାଲେଶ୍ୱର ଏସପି ପ୍ରଶ୍ନପତ୍ର ଲିକ୍ ନେଇ ସ୍ପଷ୍ଟ କରିବା ପରେ ଜେଇ (ସିଭିଲ୍) ମେନ୍ ପରୀକ୍ଷା ବାତିଲ୍ କରିଥିଲା ଓଏସ୍ଏସସି । ଉକ୍ତ ପରୀକ୍ଷା ଜୁଲାଇ ୧୬ ତାରିଖରେ ହେବାର ଥିଲା । ସେପ୍ଟେମ୍ବର ୩ରେ ପରୀକ୍ଷା ହେବା ନେଇ ପୁନଃ ତାରିଖ ଧାର୍ଯ୍ୟ କରାଯାଇଛି ।
ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ଶତାଧିକ ଆଶାୟୀ ଓଏସ୍ଏସସିର ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଭିଯୋଗ ଅନୁସାରେ, ଅଭିଯୁକ୍ତ ପ୍ରାୟ ୮୮ ଜଣ ଆଶାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ପ୍ରଘଟ କରିଥିଲେ ।
ଏହା ପୂର୍ବରୁ ବାଲଶ୍ୱର ଏସପି କହିଥିଲେ, ରାଜ୍ୟ ବାହାରେ ରହିଥିବା ଏକ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ୍ ହୋଇଛି । ପ୍ରେସରେ ହେଲପର ଭାବେ କାର୍ଯ୍ୟରତ ଜଣେ ବ୍ୟକ୍ତି ମାଷ୍ଟରମାଇଣ୍ଡକୁ ପ୍ରଶ୍ନପତ୍ର ଦେଇଥିଲେ । ଉଭୟ ଗୋଟିଏ ଗାଁର ।