Site icon UTKAL PRATIDIN

ଆଜି ଜାରି ହେବ ୭୫ ଟଙ୍କିଆ କଏନ

5

ନୂଆଦିଲ୍ଲୀ: ଜାରି ହେବ ୭୫ ଟଙ୍କିଆ କଏନ  । ନୂଆ ସଂସଦ ଭବନ ଉଦଘାଟନ ଅବସରରେ ଏହି ୭୫ ଟଙ୍କିଆ କଏନ ଉଦଘାଟନ କରାଯିବ । ଏ ନେଇ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆ ଯାଇଛି । ଗତକାଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି, ‘କଏନେଜ୍‌ ରୁଲ୍ସ ୨୦୨୩’ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରାଯିବ । ଏହାର ନିର୍ମାଣ ଟଙ୍କାଶାଳରେ କରାଯିବ। ରୂପା, ତମ୍ବା, ନିକେଲ୍‌ ଓ ଦସ୍ତା ଧାତୁ ମିଶ୍ରଣରେ ଏହି ୭୫ ଟଙ୍କିଆ କଏନ ତିଆରି କରାଯିବ ।

ଏହି ୭୫ ଟଙ୍କିଆ କଏନର ଓନଜ ୩୫ ଗ୍ରାମ ରହିବ ଏବଂ ଏଥିରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ କପର ଏବଂ ୫-୫ ପ୍ରତିଶତ ନିକେଲ ଏବଂ ଜିଙ୍କ ରହିବ । ସେତିକି ନୁହେଁ, ସଂସଦ ଭବନର ଚିତ୍ର ତଳେ ୨୦୨୩ ମଧ୍ୟ ଲେଖାଯିବ । ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ଉଲ୍ଲେଖ ରହିବ ‘ପାର୍ଲାମେଣ୍ଟ୍‌ କମ୍ପ୍ଲେକ୍ସ’। ୪୪ ମିଲିମିଟର୍‌ ଗୋଲେଇ ବିଶିଷ୍ଟ ଏହି ଧାତବ ମୁଦ୍ରାରେ ରହିବ ୨୦୦ଟି ଦାନ୍ତି। ଏହାର ସମ୍ମୁଖ ପାର୍ଶ୍ବରେ ରହିବ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ। ତା’ ତଳକୁ ଥିବ ଦେବନାଗରୀ ଲିପିରେ ଲିଖିତ ‘ସତ୍ୟମେବ ଜୟତେ’।

ସେହିପରି, ମୁଦ୍ରାର ବାମ ଗୋଲାର୍ଦ୍ଧ ପଟକୁ ରହିବ ଦେବନାଗରୀ ଲିପିରେ ଲିଖିତ ଶବ୍ଦ ‘ଭାରତ’ ଏବଂ ଡାହାଣ ଗୋଲାର୍ଦ୍ଧ ପାର୍ଶ୍ବକୁ ରହିବ ଇଂରାଜୀ ଲିପିରେ ଲିଖିତ ଶବ୍ଦ ‘ଇଣ୍ଡିଆ’। ପୁଣି, ଜାତୀୟ ସଙ୍କେତ ସିଂହ ତଳକୁ ଭାରତୀୟ ଟଙ୍କାର ସଙ୍କେତ (“₹”) ଏବଂ ଇଂରାଜୀ ସଂଖ୍ୟାରେ ଉଲ୍ଲେଖ ଥିବ ୭୫।

Exit mobile version