 
        ଭୁବନେଶ୍ଵର: ରଙ୍ଗର ପର୍ବ ହୋଲିକୁ ରକ୍ତରଞ୍ଜିତ କରିଦେଇଛି ହତ୍ୟାକାଣ୍ଡ । ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ସମ୍ବଲପୁର, ବ୍ରହ୍ମପୁର, କଟକ ଏବଂ ଅନୁଗୁଳରେ ଘଟିଛି ହତ୍ୟାକାଣ୍ଡ। ଭୁବନେଶ୍ବର ଶାନ୍ତିପଲ୍ଲୀ ବସ୍ତିରେ ସାମାନ୍ୟ କଥା କଟାକଟିରୁ ସ୍ତ୍ରୀଙ୍କ ସମ୍ମୁଖରେ ସ୍ବାମୀଙ୍କୁ ଛୁରି ଭୁସି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସେହିପରି ମଞ୍ଚେଶ୍ୱର ଥାନା ସମେଇଗାଡିଆରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସେପଟେ ହୋଲିରେ ରକ୍ତ ରଞ୍ଜିତ ହୋଇଛି ସମ୍ବଲପୁର ସହର। ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀରେ ସାମାନ୍ୟ କଥାରେ ବଚସା କାରଣରୁ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଛି ।ପୋଲିସ ଘଟଣାର ତନାଘନା ଜାରି କରିଛି।
ଅନ୍ୟପକ୍ଷେ ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଜଣେ ଠିକାଦାରଙ୍କୁ ହୋଲିରେ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ଠିକାଦାରଙ୍କର ମୃତ ହୋଇଛି। ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ସେହିପରି ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ମଧ୍ୟ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ବର୍ଷ ଶିଶୁ କନ୍ୟାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଅନ୍ୟପକ୍ଷେ ଶିଶୁ କନ୍ୟାଙ୍କୁ କେହି ଜଣେ ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅନ୍ୟପଟେ ଭାଇଚାରାର ସହର କଟକ ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାରରେ ଘଟିଥିଲା ଏକ ଅଭାବନୀୟ ଘଟଣା। ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାରରେ ସାମାନ୍ୟ ପାଟିତୁଣ୍ଡରୁ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କଠାରୁ ଏକ ବନ୍ଧୁକ ଜବତ କରାଯାଇଛି। ଗୋଟେ ପଟେ ହୋଲିର ଉତ୍ସାହ ଚାଲିଥିବା ବେଳେ ଅନ୍ୟପଟେ ଗୋଟେ ପରେ ଗୋଟେ ହୋଇ ୬ଟି ମୁଣ୍ଡ ଗଡିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହୋଲି ଉପଲକ୍ଷେ ସ୍ଵତନ୍ତ୍ର ପୋଲିସ ଫୋର୍ସ ସବୁ ଜିଲ୍ଲାରେ ନିୟୋଜିତ ହୋଇଥିବା ବେଳେ ଏପରି ସ୍ଥିତି ସରକାରଙ୍କ ପାରିବା ପାଣିଆକୁ ପଦାରେ ପକାଇଛି ।
 
         
         
         
         
        