ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ବିଶ୍ୱରେ ପ୍ରତି ୨ ମିନିଟ୍ରେ ମୃତ୍ୟୁ ବରଣ କରୁଛନ୍ତି ଜଣେ ଗର୍ଭବତୀ । ଏବଂ ଗୋଟେ ଦିନରେ ଦେଶରେ ପ୍ରାୟ ୫୨ ଜଣ ଗର୍ଭବତୀ ମହିଳାଙ୍କ ଜୀବନ ଯାଉଛି । ଏନେଇ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି । ତେବେ ଏହି ରିପୋର୍ଟର ପ୍ରଥମ ସ୍ଥାନରେ ଅଛି ନାଇଜେରିଆ । ନାଇଜେରିଆ ପରେ ଦ୍ଵିତୀୟ ସ୍ଥାନରେ ରହିଛି ଭାରତ ।
ରିପୋର୍ଟ ଅନୁସାରେ, ଗତ ୨୦୨୩ ମସିହାରେ ନାଇଜେରିଆରେ ୭୫ ହଜାର ଗର୍ଭବତୀ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଭାରତରେ ସେହିବର୍ଷ ୧୯ ହଜାର ଗର୍ଭବତୀ ମୃତ୍ୟୁବରଣ କରିଥିବାବେଳେ ପାକିସ୍ତାନରେ ୧୧ ହଜାର ଗର୍ଭବତୀ ମୃତ୍ୟୁବରଣ କରିଥିଲେ । ଏହାଛଡା ଡେମୋକ୍ରାଟିକ୍ କଙ୍ଗୋରେ ମଧ୍ୟ ୨୦୨୩ ବର୍ଷରେ ୧୯ ହଜାର ଗର୍ଭବତୀଙ୍କ ମୃତ୍ୟୁ ଘଟିଥିଲା ।
କହିରଖୁଛୁ ଯେ, ବିଶ୍ୱରେ ମୃତ୍ୟୁ ଘଟିଥିବା ମୋଟ ଗର୍ଭବତୀଙ୍କ ମଧ୍ୟରେ ୪୭% କେବଳ ଏହି ୪ ଦେଶରେ ରହିଥିଲେ । ତେବେ ଗର୍ଭାବସ୍ଥା ସମୟରେ ମହିଳାଙ୍କ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁ ବିଶ୍ୱରେ ପ୍ରାୟ ୨ ଲକ୍ଷ ୬୦ ହଜାର ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି ।
ଅତ୍ୟଧିକ ରକ୍ତସ୍ରାବ, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ, ସଂକ୍ରମଣ, ଅସୁରକ୍ଷିତ ଗର୍ଭପାତ ଆଦି ମୃତ୍ୟୁର ପ୍ରମୁଖ କାରଣ । ସେହିଭଳି ମଧୁମେହ, ହୃଦ୍ରୋଗ ମଧ୍ୟ ଗର୍ଭବତୀଙ୍କ ଜୀବନକୁ ଅଧିକ ବିପଦରେ ପକାଉଥିବା ଜାତିସଂଘ ରିପୋର୍ଟ ଦର୍ଶାଇଛି । କିନ୍ତୁ ସ୍ୱାସ୍ଥ୍ୟଗତ ଜଟିଳତା ଦେଇ ଗତି କରୁଥିବା ଗର୍ଭବତୀ ମହିଳାଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।