Site icon UTKAL PRATIDIN

ଲୁଟି ନେଲେ ୪୦୦ କେଜି ଟମାଟୋ

5

ମହାରାଷ୍ଟ୍ର ପୁଣେ ଜିଲ୍ଲାର ଜଣେ ଚାଷୀଙ୍କର ୪୦୦ କେଜି ଟମାଟୋ ଚୋରି ହୋଇଯିବା ପରେ ସେ ଏବେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ନିକଟରେ ଚାଷୀ ଜଣଙ୍କ ଆଗତ କରିଥିବା ଅଭିଯୋଗରେ କହିଛନ୍ତି ଯେ ଟମାଟୋର ମୂଲ୍ୟ ଗତ କିଛି ସପ୍ତାହ ମଧ୍ୟରେ ସମଗ୍ର ଦେଶରେ ଆକାଶଛୁଆଁ ହୋଇଯିବା ପରେ କେତେକ ଦୁର୍ବୃତ୍ତ ତାଙ୍କର ୪୦୦ କେଜି ଟମାଟୋ ଲୁଟ୍‌ କରି ନେଇଛନ୍ତି।

ଏହି ଚୋରି ଯୋଗୁଁ ସେ ପାଖାପାଖି ୨୦ ହଜାର ଟଙ୍କା ହରାଇଥିବା ଚାଷୀ ଜଣକ ପୁଲିସକୁ କହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏବେ ଲାଲ, ରସାଳ ଟମାଟୋ କିଲୋ ପିଛା ୧୦୦ ରୁ ୨୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଅଭିଯୋଗକାରୀ ଚାଷୀ ଅରୁଣ ଧୋମେ ପୁଲିସକୁ କହିଛନ୍ତି ଯେ ସେ ରବିବାର ସେ ତାଙ୍କ ଜମିରୁ ଟମାଟୋ ଅମଳ କରିଥିଲେ ଏବଂ ଶ୍ରମିକଙ୍କ ସହାୟତାରେ ଏକ ଗାଡିରେ ଶିରୁର ତହସିଲରେ ଥିବା ତାଙ୍କ ଘରକୁ ଆଣି ଘରେ ରଖିଥିଲେ। ପରଦିନ ବଜାରରେ ଟମାଟୋ ବିକ୍ରି କରିବାକୁ ଯୋଜନା କରିଥିଲେ ବୋଲି ଧୋମେ କହିଛନ୍ତି।

ତେବେ ସୋମବାର ସକାଳେ ଧୋମେ ଉଠିବା ପରେ ଦେଖିଲେ ଯେ ୪୦୦ କେଜି ଓଜନର ମୂଲ୍ୟବାନ ଟମାଟୋରୁ ୨୦ କ୍ରେଟ୍‌ ଟମାଟୋ ଚୋରି ହୋଇଯାଇଛି। ତାଙ୍କ ଟମାଟୋ ଚୋରି ହୋଇଥିବା ଜାଣିବା ପରେ ଧୋମେ ଶିରୁର ଥାନାରେ ଅଭିଯୋଗ କରିଥିଲେ। ଥାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସେମାନେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।

ନିକଟରେ ପୁଣେ ଜିଲ୍ଲାର ଆଉ ଜଣେ ଚାଷୀ ୧୮,୦୦୦ କ୍ରେଟ୍‌ ଟମାଟୋକୁ ୩ କୋଟି ଟଙ୍କାରେ ବିକ୍ରି କରି ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ।

Exit mobile version