ଓଡ଼ିଆ ଭାଷାରେ ନାମ ଫଳକ ନଲେଖିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ଓଡ଼ିଆ ଭାଷାରେ ନାମ ଫଳକ ଲେଖୁନଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି ଶ୍ରମ ବିଭାଗ ଓ ଓଡିଆ ଭାଷା ପ୍ରତିଷ୍ଠାନ । ଓଡ଼ିଆରେ ନାମ ଫଳକ ନ ଲେଖିଲେ ଦେବାକୁ ହେବ 25 ହଜାର ଟଙ୍କା ଜୋରିମାନା । ଏମିତି କି କୋର୍ଟ ବି ଦୌଡ଼ିବାକୁ ହେବ । ଏମିତି ଶୂନ୍ୟ ସହନଶୀଳ ନୀତି ଆପଣାଇଛି ଓଡ଼ିଆ ଭାଷା ପ୍ରତିଷ୍ଠାନ । ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଉପରେ ଚଢ଼ାଉ ଆରମ୍ଭ କରିଦେଇଛି ଶ୍ରମ ବିଭାଗ ଓ ଓଡିଆ ଭାଷା ପ୍ରତିଷ୍ଠାନ । ଓଡ଼ିଆରେ ନାମଫଳକ ଲେଖିନଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍ ମଧ୍ୟ ପଠାଯାଉଛି । ଗତ ମେ’ ମାସରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇସାରିଛି । ଓଡିଆରେ ନାମଫଳକ ଲେଖିନଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ସହ ପ୍ରଥମେ 5 ହଜାର ଟଙ୍କା ଫାଇନ୍ କରାଯାଉଛି । ଏହାପରେ ବି ଅଣଦେଖା କଲେ 25 ହଜାର ଟଙ୍କା ଜୋରିମାନା ସହ କୋର୍ଟରେ ମାମଲା ରୁଜୁ ହେଉଛି । ରାଜଧାନୀ ଭୁବନେଶ୍ୱରର 8 ବ୍ୟବସାୟିକ ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି । ଗତ ଦୁଇ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର 148 ବ୍ୟବସାୟିକ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ପାଇବା ପରେ 61 ଟି ସଂସ୍ଥା ତୁରନ୍ତ ଓଡ଼ିଆରେ ନାମଫଳକ ଲେଖିଛନ୍ତି । ଅନ୍ୟ ଯେଉଁ ସଂସ୍ଥା ଏହାକୁ କର୍ଣ୍ଣପାତ କରୁନାହାଁନ୍ତି ସେମାନଙ୍କ ନାଁ ରେ କୋର୍ଟରେ ମାମଲା ରୁଜୁ ହୋଇଛି । 2018 ମସିହା ଅପ୍ରେଲ ପହିଲାରୁ ସମସ୍ତ ନାମଫଳକ ଓଡ଼ିଆରେ ଲେଖିବାକୁ ନିୟମ ଲାଗୁ କରାଯାଇଥିଲେ ବି ଏ ପର୍ଯ୍ୟନ୍ତ ଅନେକ ପ୍ରତିଷ୍ଠାନ ଏଥି ପ୍ରତି ଧ୍ୟାନ ଦେଉନାହାଁନ୍ତି । ଦୀର୍ଘଦିନ ଧରି ସଚେତନ କରିବା ପରେ ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥିର କରିଛନ୍ତି ରାଜ୍ୟ ସରକାର । ବହୁତ୍ ହେଲା ଇଂରାଜୀ ପ୍ରୀତି । ଆଉ କିଛି ଶୁଣାଯିବ ନାହିଁ । ଇଂରାଜୀ ହଟାଇ ନାମଫଳକ ଓଡ଼ିଆରେ ଲେଖ, ନ ହେଲେ ଦେବାକୁ ପଡିବ ଫାଇନ୍ l