
ଦିନିକିଆ ବିଶ୍ବକପ୍ ବର୍ଷରେ ଆୟରଲାଣ୍ଡ ଭଳି ଦୁର୍ବଳ ଦଳ ବିପକ୍ଷରେ ଟ୍ବେଣ୍ଟି୨୦ ଶୃଙ୍ଖଳାର ସେପରି ମହତ୍ତ୍ବ ନାହିଁ କହିଲେ ଚଳେ। ହେଲେ ଭିନ୍ନ କାରଣରୁ ଏହି ଶୃଙ୍ଖଳାର ଗୁରୁତ୍ବ ରହିଛି। ପ୍ରଥମତଃ; ଦୁର୍ବଳ ୱେଷ୍ଟଇଣ୍ଡିଜ୍ଠାରୁ ଟ୍ବେଣ୍ଟି୨୦ ଶୃଙ୍ଖଳା ହାରି ଭାରତ ଏହି ଶୃଙ୍ଖଳା ଖେଳିବାକୁ ଆସିଛି। ପୁଣି ଏହି ଶୃଙ୍ଖଳା ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ଭାରତର ସବୁଠାରୁ ବଡ଼ ମ୍ୟାଚ୍ ବିଜେତା ଫାଷ୍ଟବୋଲର ଯଶପ୍ରୀତ ବୁମ୍ରା ୧୧ ମାସ ପରେ କ୍ରିକେଟ୍ ଖେଳୁଛନ୍ତି। ସେହିପରି ସାଥୀ ଫାଷ୍ଟବୋଲର ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଦୀର୍ଘ ମାସ ପରେ ଦଳକୁ ଫେରିଛନ୍ତି।
ଶୁକ୍ରବାର ପ୍ରଥମ ଟ୍ବେଣ୍ଟି୨୦ରେ ବୁମ୍ରା ମ୍ୟାଚ୍ ବିଜେତା ପ୍ରମାଣିତ ହୋଇଥିବା ବେଳେ ପ୍ରସିଦ୍ଧ ମଧ୍ୟ ଭଲ ବୋଲିଂ କରିଥିଲେ। ବୁମ୍ରା ପ୍ରଥମ ଓଭରରେ ୨ଟି ୱିକେଟ ପାଇଥିବା ବେଳେ ପ୍ରସିଦ୍ଧଙ୍କୁ ମଧ୍ୟ ୨ଟି ୱିକେଟ୍ ମିଳିଥିଲା। ଏହା ଭାରତୀୟ ଦଳ ମ୍ୟାନେଜମେଣ୍ଟକୁ ଉତ୍ସାହିତ କରିଛି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଟ୍ବେଣ୍ଟି୨୦କୁ ଡକ୍ୱର୍ଥ-ଲୁଇସ୍ ନିୟମରେ ମାତ୍ର ୨ ରନ୍ରେ ଭାରତ ଜିତିନେଇଛି।
ରବିବାର ଏଠାରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜିତି ଶୃଙ୍ଖଳା ହାତେଇବାର ଲକ୍ଷ୍ୟ ବୁମ୍ରାଙ୍କ ଦଳ ରଖିଛି। ଅନ୍ୟପକ୍ଷରେ ମ୍ୟାଚ୍ରେ ବର୍ଷାର ସମ୍ଭାବନା ବହୁତ କମ୍ ବୋଲି ଜଣାପଡ଼ିଛି।