ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ବଲ୍ ଏବେ ବିରୋଧିଙ୍କ ହାତରେ | ଯେଉଁ ବଲ୍ ଧରି ଦଳ ୨୦୨୪ ନିର୍ବାଚନ ମୈଦାନରେ ସୁପର ଗୋଲ କରିଥିଲା ସେହି ବଲ ଆଜି ବିରୋଧୀଙ୍କ ହାତକୁ ଚାଲି ଯାଇଛି | ଯେଉଁ ଅସ୍ମିତା କଥା କହି ବିଜେଡିକୁ ଲହୁଲୁହାଣ କରିଥିଲା ଆଜି ସେହି ଅସ୍ତ୍ର ନେଇ ବିଜେପିକୁ ଆଟାକ କରିବା ଆରମ୍ଭ କରିଦେଇଛନ୍ତି ବିରୋଧୀ |
ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଭାଷାଜ୍ଞାନ ହେଉ ବା ଓଡିଶା ରାଜନୀତିରେ ଅଣଓଡିଆଙ୍କ ହସ୍ତକ୍ଷେପ ହେଉ ତା ଭିତରେ ଓଡ଼ିଆ ଅସ୍ମିତାକୁ ଖୋଜିଥିଲା ବିଜେପି | ଅସ୍ମିତାକୁ ଇସ୍ୟୁ କରି ଓଡିଆଙ୍କ ଭାବାବେଗକୁ ଛୁଇଁ ପାରିଥିଲା ବିଜେପି | ହେଲେ କ୍ଷମତାକୁ ଆସିବା ପରେ ଏ ସବୁକୁ ଭୁଲିଗଲା କି ? ବିଜେପି ଶାସନକୁ ଆସିବା ପରେ ଦଳର ସେଇ ଅସ୍ମିତା ଗଲା କୁଆଡେ?
ଜଗନ୍ନାଥ ପୀଠ ପୁରୀରେ ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଏଏସଓଙ୍କୁ ମାଡ ମାରି ଲହୁ ଲୁହାଣ କରିଥିଲେ | ଏଏସଓ ବୈକୁଣ୍ଠ ପ୍ରଧାନ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବା ସହ ପୋଲିସରେ ଅଭିଯୋଗ କଲେ | ତାଙ୍କ ପତ୍ନୀ କାନ୍ଦି କାନ୍ଦି ନ୍ୟାୟ ମାଗିଥିଲେ ମଧ୍ୟ ବିଜେପି ସରକାର ଚୁପ ରହିଛି | ଓଡିଶା ପୋଲିସଙ୍କ ଉପରେ ଅଣଓଡ଼ିଆଙ୍କ ଏ ଅତ୍ୟାଚାର ଆଉ ବିଜେପି ସରକାରଙ୍କ ନୀରବତା ବିରୋଧୀଙ୍କୁ ଇନ୍ଧନ ଯୋଗାଇଥିଲା | ଏଠି ବିଜେପିର ଅସ୍ମିତା କୁଆଡେ ଗଲା ବୋଲି କହି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଖୁବ ବର୍ଷିଥିଲା ମୋହନ ସରକାର ଉପରେ |

କଥା ଏତିକିରେ ସରିନି | ଆଜି ଥିଲା ମୋହନ ସରକାରଙ୍କର ପ୍ରଥମ ବିଧାନସଭା ଅଧିବେଶନ | ବଜେଟ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ଦେଇଥିଲେ | ହେଲେ ରାଜ୍ୟପାଳ ତାଙ୍କ ଭାଷଣ ହିନ୍ଦୀରେ ଦେଇଥିଲେ | ଏବେ ଏହାକୁ ଇସ୍ୟୁ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି | ପୁଣି ବିଜେପିର ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି | ଏହାକୁ ବିରୋଧ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ଓ କଂଗ୍ରେସ ଦଳର ନେତା କକ୍ଷ ତ୍ୟାଗ କରିଥିଲେ | କଂଗ୍ରେସ ବିଧାୟକ ତାରା ବାହିନପତି ରାଜ୍ୟପାଳଙ୍କ ପୁଅ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ରାଜ୍ୟପାଳଙ୍କୁ ବିଦା କରିବାକୁ ଦାବି କରି ଗୋ ବ୍ୟାକ ନାରା ଦେବା ସହ ଓଡ଼ିଶାବାସୀଙ୍କୁ ଓଡ଼ିଆ ଅସ୍ମିତା ବଞ୍ଚେଇବାକୁ ଆହ୍ୱାନ ଦେଇଛନ୍ତି । ବିଜେପି ଯେଉଁ ଓଡ଼ିଆ ଅସ୍ମିତାକୁ ନେଇ ବିଜେଡ଼ିକୁ ଟାର୍ଗେଟ କରିଥିଲା ଏବେ ସେଇ ଓଡ଼ିଆ ଅସ୍ମିତା ପାଲଟିଛି ବିରୋଧୀଙ୍କ ଅସ୍ତ୍ର ।